ଜମି ଅଧିଗ୍ରହଣରେ ଅଟକିଛି ଅଧିକାଂଶ ରେଳ ପ୍ରକଳ୍ପ

ଭୁବନେଶ୍ୱର,୬ା୧(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାରେ ଚାଲୁଥିବା ନୂଆ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଧିମେଇଛି। ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଆଦି କ୍ଷେତ୍ରରେ ଉପୁଜିଥିବା କେତେକ ସମସ୍ୟା ଯୋଗୁ ପ୍ରକଳ୍ପ ସରିବାରେ ବିଳମ୍ବ ହେଉଛି। ପୁଣି ଓଡ଼ିଶା ସରକାରଙ୍କ ଅଂଶ ବାବଦ ଅର୍ଥ ବାକି ପଡିଥିବାରୁ ଏହାର ପ୍ରଭାବ ପ୍ରକଳ୍ପ ଉପରେ ପଡୁଛି। ରାଜ୍ୟ ସଭାର ଗତ ଶୀତ ଅଧିବେଶନରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ତଥ୍ୟ ଦେଇଛନ୍ତି।
ରାଜ୍ୟରେ ଚାଲୁଥିବା ବିଭିନ୍ନ ରେଳ ଲାଇନ୍‌ ପ୍ରକଳ୍ପ ବିଷୟରେ ବିଜେଡି ଏମ୍‌ପି ସସ୍ମିତ ପାତ୍ର ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ ପ୍ରକଳ୍ପର ତାଲିକା ଓ ଏହାର ସ୍ଥିତି ବିଷୟରେ ଲିଖିତ ତଥ୍ୟ ଦେଇଛନ୍ତି। ଅଧିକାଂଶ ପ୍ରକଳ୍ପରେ ସଂପୂର୍ଣ୍ଣ ଜମି ଅଧିଗ୍ରହଣ ହୋଇପାରିନି। ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟର ସହଭାଗିତାରେ ହେଉଥିବା ପ୍ରକଳ୍ପଗୁଡ଼ିକରେ ରାଜ୍ୟ ଅଂଶ ବାବଦକୁ ବହୁ ଅର୍ଥ ବାକି ରହିଛି। ଅନ୍ୟପକ୍ଷରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ପ୍ରକଳ୍ପରେ ମୋଟ୍‌ ୭୭୨୫ ଏକର ଜମିରୁ ମାତ୍ର ୩୪୪୩ ଏକର ଅଧିଗ୍ରହଣ ହୋଇଛି। ଆହୁରି ୪୨୮୨ ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ଅଂଶ ବାବଦକୁ ୧୧୧ କୋଟି ଟଙ୍କା ବାକି ରହିଛି। ଅନୁଗୋଳ-ସୁକିନ୍ଦା ରୋଡ଼ ପ୍ରକଳ୍ପ ପାଇଁ ଆବଶ୍ୟକ ୧୮୫୪ ଏକର ଜମିରୁ ୧୩୬୦ ଏକର ଅଧିଗ୍ରହଣ ହୋଇଛି ଓ ୪୯୩ ଏକର ଜମି ଅଧିଗ୍ରହଣ ହେବାକୁ ବାକି ରହିଛି। ସେହିଭଳି ହରିଦାସପୁର-ପାରାଦୀପ ପ୍ରକଳ୍ପରେ ୧୭୪୩ ଏକର ଜମିରୁ ୧୬୪୧ ଏକର ଜମି ଅଧିଗ୍ରହଣ ହୋଇଥିବାବେଳେ ୧୦୨ ଏକର ହୋଇପାରିନି। ତାଳଚେର-ବିମଳାଗଡ଼ ପ୍ରକଳ୍ପରେ ୨୦୮୯ ଏକର ଜମିରୁ ମାତ୍ର ୪୬୭ ଏକର ଅଧିଗ୍ରହଣ ହୋଇପାରିଛି। ବଳକା ୧୬୨୨ ଏକର ରାଜ୍ୟ ସରକାର ଅଧିଗ୍ରହଣ କରିବାକୁ ବାକି ଅଛି। ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ଆବଶ୍ୟକ ୯୮୦ ଏକର ଜମିରୁ ଆଦୌ ଜମି ଅଧିଗ୍ରହଣ ହୋଇନାହଁି। ଏଥିରେ ରାଜ୍ୟ ସରକାର ଆର୍ଥତ୍କ ଭାଗ ୧୦ କୋଟି ଟଙ୍କା ବାକି ରଖିଛନ୍ତି। ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୬୩୪ ଏକର ଜମିରୁ ଆଦୌ ଅଧିଗ୍ରହଣ ହୋଇନି। ଏଥିରେ ମଧ୍ୟ ରାଜ୍ୟ ସରକାର ୨୩ କୋଟି ଟଙ୍କା ବାକି ରଖିଛନ୍ତି। ଉପରୋକ୍ତ ସମସ୍ତ ପ୍ରକଳ୍ପରେ ବାକି ରହିଥିବା ଜମି ଅଧିଗ୍ରହଣ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।