ଜବରଦଖଲ ମୁକ୍ତ ହେଲା ଜଗନ୍ନାଥଙ୍କ ଜମି

ଅତାବିରା, ୧୬।୨ (ଡି.ଏନ.ଏ):ବରଗଡ଼ ଜିଲା ଭେଡେନ ବ୍ଲକ ଉଦେପୁର ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରର ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘବର୍ଷ ହେଲା ଜବରଦଖଲ କରି ରଖିଥିଲେ। ତେବେ ଗ୍ରାମବାସୀ ଏକାଠି ହୋଇ ରବିବାର ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରିଛନ୍ତି।
ସୂଚନା ଅନୁସାରେ, ଉଦେପୁର ଜଗନ୍ନାଥ ମନ୍ଦିର ନାମରେ ଉକ୍ତ ଗାଁରେ ୪.୭୨ ଏକର ଜମି ରହିଛି। ଏହି ଜମିକୁ ଉକ୍ତ ଗାଁର କେତେକ ବ୍ୟକ୍ତି ଦୀର୍ଘଦିନ ହେଲା ଜବରଦଖଲ କରି ରଖିଥିଲେ। ଦେଶଭଟିଲି ଆର୍‌ଆଇ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ଚିହ୍ନଟ କରିବା ପରେ ମନ୍ଦିର ଟ୍ରଷ୍ଟବୋର୍ଡ ଜମି ଜବରଦଖଲ ମୁକ୍ତ ପାଇଁ ପୋଲିସ ପ୍ରଶାସନକୁ ଅବଗତ କରିଥିଲେ। ତେବେ ପୋଲିସ ପ୍ରଶାସନ ଏହି ସମସ୍ୟାର ସମାଧାନ କରି ନ ପାରିଥିବାରୁ ଗ୍ରାମବାସୀ ଓ ଜବରଦଖଲକାରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଟ୍ରଷ୍ଟବୋର୍ଡ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଜାନୁୟାରୀ ମାସରେ ଏ ନେଇ ଏକ ବୈଠକ କରାଯାଇ ଜଗନ୍ନାଥଙ୍କ ନାମରେ ଥିବା ଜମିକୁ ସୁନା ପୋଢ଼ ନାମକ ଜଣେ ବ୍ୟକ୍ତିଙ୍କୁ ନିଲାମରେ ଦେଇଥିଲେ। ହେଲେ ପୂର୍ବରୁ ଜବରଦଖଲ କରି ଆସୁଥିବା ପ୍ରଭାବଶାଳୀ ବ୍ୟକ୍ତି ଗ୍ରାମବାସୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ଜମିକୁ ନିଲାମ କରାଯାଇପାରି ନ ଥିଲା। ତେବେ ରବିବାର ସକାଳେ ଗ୍ରାମର ମହିଳାପୁରୁଷ ଏକଜୁଟ ହୋଇ ଜଗନ୍ନାଥ ଓ ଲକ୍ଷ୍ମୀନାରାୟଣ ମହାପ୍ରଭୁଙ୍କ ନାମରେ ଥିବା ୪ ଏକର ୭୨ ଡେସିମିଲ ଜମିକୁ ଦଖଲ କରି ପହ୍ଲା ରୋଇଛନ୍ତି। ଫଳରେ ଗାଁରେ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ରୁଷୁଡା ଫାଣ୍ଡି ଅଧିକାରୀ ଗଣେଷ କଲେତଙ୍କୁ ପଚରାଯିବାରୁ ଉଭୟ ପକ୍ଷଙ୍କୁ ଡକାଇ ସମାଧାନ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଥିଲେ ।