ଜବରଦଖଲ ଉଚ୍ଛେଦ ଦାବିରେ ଅନଶନ

ବନ୍ତ,୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଷେଣ୍ଢତୀରା ପଞ୍ଚାୟତ ଅଧୀନ ବରପଦା ରାଜସ୍ବ ଗ୍ରାମର ସରକାରୀ ବସ୍ତି ଯୋଗ୍ୟ ଜମି ଜବରଦଖଲ ଉଚ୍ଛେଦ ଦାବିରେ ବୁଧବାର ଗ୍ରାମର ମହିଳା ଓ ପୁରୁଷମାନେ ତହସିଲ ଅଫିସ୍‌ ସମ୍ମୁଖରେ ଅନଶନରେ ବସିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଉକ୍ତ ମୌଜାରେ ଥିବା ପତିତ କିସମର ଜମି ମହିଳା ସମିତି ଓ ଯୁବକ ସଂଘ ପାଇଁ ସଂରକ୍ଷିତ ରହିଛି। ଉକ୍ତ ସରକାରୀ ଜମିକୁ ଗ୍ରାମର କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ଫଳରେ ଗ୍ରାମର ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସେହିପରି ଅନୁସୂଚିତ ଜନଜାତିର ବାସିନ୍ଦାମାନେ ଘରବାଡ଼ି ପଟ୍ଟା ପାଇଥିଲେ ମଧ୍ୟ ଥଇଥାନ ବ୍ୟବସ୍ଥା ହୋଇ ନ ଥିବାରୁ ସେମାନେ ପକ୍କା ଗୃହ ନିର୍ମାଣ କରିପାରୁନାହାନ୍ତି। ଉକ୍ତ ଗ୍ରାମରୁ ଜବରଦଖଲ ଉଚ୍ଛେଦ କରିବା ନେଇ ପୂର୍ବରୁ ବହୁବାର ଧାରଣା ସହ ଅନଶନ କରାଯାଇଥିଲା। ୨୦୧୯ ଅଗଷ୍ଟରେ ତହସିଲ ପକ୍ଷରୁ ଘରଡିହ ପଟ୍ଟା ପାଇଥିବା ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ଜମି ଚିହ୍ନଟ ଦେଇଥିଲେ ମଧ୍ୟ ସେଥିରେ ତ୍ରୁଟି ରହିଯାଇଥିଲା। ତ୍ରୁଟିକୁ ସଂଶୋଧନ କରିବା ସହ ସରକାରୀ ଜମିରୁ ସମ୍ପୂର୍ଣ୍ଣ ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ଦାବି ହୋଇଆସୁଛି। ମାତ୍ର ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଗ୍ରାମର ସୁନାଲତା ପଣ୍ଡା, ଅରୁଣା ଓଝା, ଚମ୍ପା ମୁଣ୍ଡା, ରାଇମଣି ମୁଣ୍ଡା, ବାସନ୍ତୀ ମୁଣ୍ଡା, ଲିପି ମୁଣ୍ଡା, ମଞ୍ଜୁ ମୁଣ୍ଡା, ରେବତୀ ମୁଣ୍ଡା, ସାବିତ୍ରୀ ମୁଣ୍ଡା, ସପନା ମୁଣ୍ଡା, ସୋନାଲି ମୁଣ୍ଡା, ଶମ୍ବରୀ ମୁଣ୍ଡା, ପାଣ୍ଡବ ମୁଣ୍ଡା, ଗଣେଶ ମୁଣ୍ଡାଙ୍କ ସମେତ ବହୁ ମହିଳା ଓ ପୁରୁଷ ଅନଶନରେ ବସିଥିଲେ। କୌଣସି କାର୍ଯ୍ୟରେ ଉପଜିଲାପାଳ ପୀତାମ୍ବର ସାମଲ ତହସିଲ କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ନିୟମ ଅନୁଯାୟୀ ସମସ୍ତ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା କହିଥିଲେ। ଉକ୍ତ ଗ୍ରାମରୁ ଖୁବ୍‌ଶୀଘ୍ର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ ସେ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ଅନଶନରୁ ଉଠିଥିଲେ।