ଜବରଦଖଲକାରୀ ମାଡ଼ି ବସିଛନ୍ତି ଜମି: ୬୦ ବର୍ଷର ହାଟର ମିଳୁନି ଚିହ୍ନବର୍ଣ୍ଣ

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.)

ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ପ୍ରାୟ ୬୦ ବର୍ଷର ଏକ ପୁରାତନ ହାଟର ଆଉ ଚିହ୍ନବର୍ଣ୍ଣ ନାହିଁ। ଏହାର ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀ କୃତାର୍ଥ ଚନ୍ଦ୍ର ସିଂହ, ଶିବରାମ ସାହୁ, ନିର୍ମଳ ସାହୁ ପ୍ରମୁଖଙ୍କ କହିବା ଅନୁଯାୟୀ, ୧୯୬୧ ମସିହାରେ ଏହି ହାଟ ପ୍ରତିଷ୍ଠା ହୋଇଥିଲା। ବଳରାମପ୍ରସାଦ ଠାରେ ପାଟଣା ବୋଲି ଏକ ବ୍ୟବସାୟିକ ସ୍ଥାନ ରହିଥିଲା। ପାଟଣାର ଲୋକମାନେ ତେଲ, ଲୁଗା ବୁଣା କାର୍ଯ୍ୟ କରିବା ସହ ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲେ। ସେମାନେ ଏହି ହାଟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ସେହିପରି ଆଖପାଖ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ଗ୍ରାମର ଚାଷୀ ଏଠାରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ଚଳୁଥିଲେ। ଫଳରେ ହାଟରେ ଗ୍ରାହକମାନଙ୍କ ବେଶ ଭିଡ଼ ଜମୁଥିଲା। ସେତେବେଳେ ପଞ୍ଚାୟତ ପକ୍ଷରୁ ଏହାର ପରିଚାଳନା କରାଯାଉଥିଲା। କିନ୍ତୁ ଏହି ପୁରୁଣା ହାଟ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏପରିକି ବର୍ତ୍ତମାନ ହାଟ ଅଞ୍ଚଳ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ପିଣ୍ଡି ଗୁଡ଼ିକୁ ଭାଙ୍ଗି ଯାଇଥିବା ବେଳେ ହାଟର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବଳରାମପ୍ରସାଦ ସରପଞ୍ଚ ମଧୁଛନ୍ଦା ସାହୁ କୁହନ୍ତି, ଦୀର୍ଘ ବର୍ଷ ହେଲା ଉକ୍ତ ହାଟ ବନ୍ଦ ହୋଇଗଲାଣି। ସେତେବେଳେ କେହି ଏଥିପ୍ରତି ଦୃଷ୍ଟି ଦେଲେନାହିଁ। ଫଳରେ ହାଟ ଜାଗା ଏବେ ଜବରଦଖଲକୁ ଚାଲିଯାଇଛି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।