ଜନସେବା କେନ୍ଦ୍ରକୁ ତାଗିଦ: ନିର୍ଦ୍ଧାରିତ ଦରଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ଚନ୍ଦ୍ରଗିରି,୩୦।୭(ଡି.ଏନ୍‌.ଏ.): ବାରମ୍ବାର ସରକାରୀ ଦପ୍ତରକୁ ନଯାଇ ସହଜରେ ଏବଂ କମ୍‌ ଖର୍ଚ୍ଚରେ କିପରି ବିଭିନ୍ନ ସରକାରୀ ପ୍ରମାଣପତ୍ର ପାଇପାରିବେ ସେ ନେଇ ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମାତ୍ର କେତେକ ଅସାଧୁ କେନ୍ଦ୍ର ପରିଚାଳକ ଏହାର ଅପବ୍ୟବହାର କରୁଛନ୍ତି। ବିଗତ ଦିନରେ ଲୋକଙ୍କ ବ୍ୟାଙ୍କ ଖାତାରୁ ଜମାରାଶି ହଡପ କରିଥିବା ନେଇ ମୋହନା ଥାନାରେ ମାମଲା ରୁଜୁ ହୋଇ, କେନ୍ଦ୍ର ପରିଚାଳକ ଜେଲ ଯିବାର ମଧ୍ୟ ନଜିର ରହିଛି। ଆଉ କେତେକ ସ୍ଥାନରେ ତୁରନ୍ତ ପ୍ରମାଣପତ୍ର ଯୋଗାଇଦେବାକୁ କହି ଅଧିକ ଟଙ୍କା ଆଦାୟ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ବୃଦ୍ଧି ପାଉଥିବା ଦେଖି ମୋହନା ତହସିଲଦାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଆପଣଙ୍କ ଅଞ୍ଚଳରେ କୌଣସି ଜନ ସେବା କେନ୍ଦ୍ରରେ ବିଭିନ୍ନ ସାର୍ଟିଫିକେଟ ପାଇଁ ସରକାରୀ ଦର ତାଲିକା ଲଟକାଯାଇନାହିଁ, କିମ୍ବା ନିର୍ଦ୍ଧାରିତ ଦରଠାରୁ ଅଧିକ ନିଆଯାଉଛି ତେବେ ତହସିଲ କାର୍ଯ୍ୟାଳୟର ଅଭିଯୋଗ/ପରାମର୍ଶ ବାକ୍ସରେଅଭିଯୋଗ ପତ୍ର ପକାଇପାରିବେ କିମ୍ବା ମୋବାଇଲ ଫୋନ ନଂ.୯୪୩୭୫୧୮୮୬୬କୁ ହ୍ବାଟ୍ସଆପ୍‌ ମାଧ୍ୟମରେ ପ୍ରମାଣ ବି ପଠାଇ ପାରିବେ। ତହସିଲ ସମ୍ମୁଖରେ ଏନେଇ ଏକ ବ୍ୟାନର ଟଙ୍ଗା ଯାଇଛି। ତହସିଲଦାର କଲ୍ୟାଣି ସଙ୍ଘମିତ୍ରା ଦେବୀଙ୍କୁ ପଚାରିବାରୁ ଜନସେବା କେନ୍ଦ୍ରକୁ ଦୁର୍ନୀତିମୁକ୍ତ କରିବାକୁ ଏହା ଏକ ପ୍ରୟାସ ଓ ଏହାଦ୍ୱାରା ଲୋକେ ଉପକୃତ ହେବେ ବୋଲି କହିଛନ୍ତି।