Categories: ନୟାଗଡ଼

ଜନପ୍ରତିନିଧିଙ୍କ ଆକ୍ରମଣରେ ଯୁବକ ଆହତ

ନୟାଗଡ଼ ଅଫିସ,୨୨ା୧୦: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତର ଜନପ୍ରତିନିଧିଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ଆଡ଼ିପଡ଼ା ଗ୍ରାମର ବିରଞ୍ଚତ୍ ସାହୁ। ବିରଞ୍ଚତ୍ଙ୍କ ସ୍ତ୍ରୀ ଟିକିନା ସାହୁ ଏ ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ରବିବାର ରାତି ୯ଟା ୩୦ରେ ବିରଞ୍ଚତ୍ ବାଇକ୍‌ରେ ଟ୍ରାକ୍ଟର ପାଇଁ ଡିଜେଲ ନେଇ ଘରକୁ ଫେରୁଥିବା ବେଳେ ଚଣ୍ଡିଝରୀ ଗ୍ରାମ ନିକଟରେ ଜନପ୍ରତିନିଧି ଓ ତାଙ୍କର ଦୁଇ ସହଯୋଗୀ ଅଟକାଇଥିଲେ। ଏହା ପରେ ସେମାନେ ତାଙ୍କ ସହ ଗଣ୍ଡଗୋଳ କରିବା ସହିତ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ବିରଞ୍ଚତ୍ଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲେ। ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ମହିପୁର ମେଡ଼ିକାଲକୁ ଆଣିଥିଲେ। ସେଠାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଟିକିନାଙ୍କ ଅଭିଯୋଗ ଅନୁସାରେ ଉକ୍ତ ଜନପ୍ରତିନିଧି ଜଣକ ଗତ ସରପଞ୍ଚ ନିର୍ବାଚନ ସମୟରେ ତାଙ୍କ ସ୍ବାମୀଙ୍କଠାରୁ ଦେଢଲକ୍ଷ ଟଙ୍କା ଧାର ନେଇଥିଲେ। ବିରଞ୍ଚତ୍ ଉକ୍ତ ଟଙ୍କା ମାଗିଲେ ଜନ ପ୍ରତିନିଧି ଜଣକ ଟଙ୍କା ଦେବା ବଦଳରେ ଧମକ ଦେଉଥିଲେ। ରବିବାର ରାଗ ରଖି ଜନ ପ୍ରତିନିଧି ଓ ତାଙ୍କର ସହଯୋଗୀମାନେ ଏହି ଆକ୍ରମଣ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ଥାନାରେ ୮୪/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ପ୍ରକାଶ କରିଛନ୍ତି।