Categories: ବାଣିଜ୍ୟ

ଜନଧନ ଖାତାରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୧୦।୪: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖାତା ଖୋଲିଥିବା ମହିଳାଙ୍କୁ କେନ୍ଦ୍ର ସରକାର ଏପ୍ରିଲରେ ବ୍ୟାଙ୍କ ଖାତାରେ ସିଧାସଳଖ ୫୦୦ ଟଙ୍କା ପ୍ରଦାନ କରିଛନ୍ତି। ଆଉ ୨ କିସ୍ତିରେ ଏହି ଆକାଉଣ୍ଟଧାରୀଙ୍କୁ ସରକାର ୧୦୦୦ ଟଙ୍କା ପ୍ରଦାନ କରିବେ। ଯଦି ଟଙ୍କା ଉଠାଣ ନ ହୁଏ ଏହା ଫେରିଯିବ ବୋଲି ଗୁଜବ ହେଉଛି। ଏହି ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ)ପକ୍ଷରୁ ଗ୍ରାହକଙ୍କୁ ଅବଗତ କରାଯାଇଛି। ଏଭଳି ଗୁଜବକୁ ବିଶ୍ୱାସ କରି ଲୋକମାନେ ବହୁ ସଂଖ୍ୟାରେ ବ୍ୟାଙ୍କ ଶାଖାରେ ଭିଡ ଜମାଉଛନ୍ତି। କରୋନା ନ ବ୍ୟାପିବା ଲାଗି ଏବେ ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ନିୟମ ରହିଛି। ହେଲେ ଟଙ୍କା ଫେରିଯିବ ଭାବି ଲୋକମାନେ ନିୟମକୁ ନ ମାନି ବ୍ୟାଙ୍କ ଶାଖାରେ ଭିଡ ଜମାଉଥିବା ଦେଖାଯାଇଛି। ଏପ୍ରିଲ ମାସ ଲାଗି ହିତାଧିକାରୀଙ୍କ ଖାତାରେ ପ୍ରଦାନ କରାଯାଇଥିବା ୫୦୦ ଟଙ୍କା ଲୋକମାନେ ଯେକୌଣସି ସମୟରେ ଉଠାଇ ପାରିବେ ବୋଲି କେନ୍ଦ୍ର ସରକାରଙ୍କ ଆର୍ଥତ୍କ ସେବା ବିଭାଗ ପକ୍ଷରୁ ସୂଚନା ରହିଛି। ଏହାବାଦ ମେ ଏବଂ ଜୁନ୍‌ ମାସ ଲାଗି ମଧ୍ୟ ୫୦୦ ଟଙ୍କା ଲେଖାଏ ଲୋକଙ୍କ ଖାତାରେ ସରକାର ଜମା କରିବେ।
ଏହାବାଦ ଗୁଜବରେ ବିଶ୍ୱାସ ନ କରି ଲୋକମାନେ ଏହି ଅର୍ଥ ଏଟିଏମ୍‌, କଷ୍ଟମର ସର୍ଭିସ ପଏଣ୍ଟ ଏବଂ ସୁବିଧା ମୁତାବକ ବ୍ୟାଙ୍କ ଶାଖାରୁ ଉଠାଇ ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏବେ ସାରା ଦେଶରେ ଜନଧନ ଯୋଜନାରେ ୩୮.୦୮ କୋଟି ଖାତା ରହିଛି। ଏହି ଖାତା ମଧ୍ୟରୁ ମହିଳାଙ୍କ ନାମରେ ୨୦.୬୦ କୋଟି ଖାତା ରହିଛି। ହିତାଧିକାରୀଙ୍କ ଖାତାରେ ହୋଇଥିବା ଜମା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଏସ୍‌ବିଆଇ ପକ୍ଷରୁ କୁହାଯାଇଛି। ସରକାର ନିକଟରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଘୋଷଣା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ, ଆଗାମୀ ୩ ମାସ ଯାଏ ମହିଳା ହିତାଧିକାରୀଙ୍କୁ ପ୍ରତି ମାସ ୫୦୦ ଟଙ୍କା ଲେଖାଏ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ। ଲୋକମାନେ ସେମାନଙ୍କ ସୁବିଧା ମୁତାବକ ଏହି ଅର୍ଥ ଉଠାଇ ପାରିବେ।

Share