ଜନତା କର୍ଫ୍ୟୁ: ଜରୁରିକାଳୀନ ସେବାକୁ ଛାଡ଼ି ସବୁ ବନ୍ଦ

ସରଣ୍ଡା,୨୨ା୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଥିବାବେଳେ ଏହି ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା ଜନତା କର୍ଫ୍ୟୁକୁ ସରଣ୍ଡାରେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଛି। ବରଗଡ଼ ଜିଲା ଅତାବିରା ବ୍ଲକରେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ଯାଏଁ ସବୁଠି ଜନ ସଚେତନତା ଅନୁଭୂତ ହୋଇଛି। ସକାଳ ୭ଟାରୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇପଡ଼ିଛି। ଉଭୟ ସରକାରୀ, ବେସରକାରୀ ବସ୍‌ ଚଳାଚଳ ବନ୍ଦ ରହିଛି। ରାସ୍ତାରେ ଆମ୍ବୁଲାନ୍ସ ଓ କେତେକ ଜରୁରିକାଳୀନ ଗାଡ଼ିକୁ ଛାଡି ଅନ୍ୟ ସବୁ ବନ୍ଦ ରହିଛି। ତେବେ ମାଂସ, ମାଛ ଦୋକାନ ଉପରେ ବନ୍ଦ କଟକଣା ନ ଥିବାରୁ ସେଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପରିବା ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। କରୋନା ସଂକ୍ରମଣରୁ ନିଜକୁ ଓ ଦେଶକୁ ରକ୍ଷା କରିବା ଲକ୍ଷ୍ୟରେ ଲୋକେ ସଚେତନ ହୋଇ ଘରେ ରହିଛନ୍ତି। ଏନେଇ ଲୋକଙ୍କୁ ସଚେତନ କରିବାକୁ ୨୪ ଘଣ୍ଟିଆ କାର୍ଯ୍ୟ ଜାରି ରଖି ତନଖି କରାଯାଉଥିବା ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ପ୍ରକାଶ କରିଛନ୍ତି। ସେହିପରି ଅତାବିରା ଡାକ୍ତରଖାନାର ମୁଖ୍ୟ ଡାକ୍ତର ରବି ମିଶ୍ର କହିଛନ୍ତି, କାହାକୁ ଥଣ୍ଡା କାଶ ହେଲେ ମୋତେ ଫୋନ କରନ୍ତୁ। ଔଷଧ ନେଇ ଘରେ ପହଞ୍ଚାଇବୁ ବୋଲି କହିଛନ୍ତି।