Categories: ଫୁରସତ

ଜଣେ ରୋଗୀ ମୋତେ କନ୍ଦାଇ ଦେଇଥିଲେ

ମାନସିକ ରୋଗ ଚିକିତ୍ସା କ୍ଷେତ୍ରରେ ଯୁବ ବୟସରେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି ଡା. ସମ୍ରାଟ କର। ଭାରତର ଆଗଧାଡ଼ିର ଡାକ୍ତରମାନଙ୍କ ମଧ୍ୟରେ ସେ ଅନ୍ୟତମ। କଟକ ନିବାସୀ ଡା. ସମ୍ରାଟ ମଧ୍ୟ ଜଣେ ସ୍ବେଚ୍ଛାସେବୀ। ଏଥର ତାଙ୍କ ଅନୁଭୂତିରୁ କିଛି..

ଅନେକ ମାନସିକ ରୋଗୀଙ୍କୁ ଚିକତ୍ସା କରିଛି। ଯେଉଁମାନେ ଭଲ ହୋଇ ଯାଇ ପୂର୍ବ ଅବସ୍ଥାକୁ ଫେରି ଆସନ୍ତି ସେମାନଙ୍କୁ ଦେଖି ମୋତେ ଖୁସି ଲାଗେ। ହେଲେ ଏପରି ଜଣେ ରୋଗୀଙ୍କୁ ମୁଁ ଭଲ କରିଥିଲି, ଯାହା ପରବର୍ତ୍ତୀ ସମୟରେ ମୋତେ କନ୍ଦାଇ ଦେଇଥିଲା। ବେଳେବେଳେ ଅନୁତାପ ମଧ୍ୟ କରେ। ସେ ସୁସ୍ଥ ହୋଇଯିବା ଠିକ୍‌ ନା ଭୁଲ୍‌ ଥିଲା, ତାହାର ହିସାବ ମୋ ପାଖରେ ନାହିଁ। ଏବେ ମୋ ପାଖକୁ ଚିକିତ୍ସା ପାଇଁ ଆସୁଥିଲେ ମଧ୍ୟ ତାଙ୍କ ସହ ଜଣେ ଡାକ୍ତର ଭାବେ କଥା ହୋଇପାରେନା। ଡା. ସମ୍ରାଟ କହନ୍ତି, ରୋଗୀ ଜଣଙ୍କ ହେଉଛନ୍ତି କଟକ ଉପକଣ୍ଠରେ ରହୁଥିବା ଜଣେ ମହିଳା। ତାଙ୍କ ସ୍ବାମୀ ଆର୍ମି ଅଫିସର ଥିଲେ। କିଛି ବର୍ଷ ପୂର୍ବେ ଏକ ଯୁଦ୍ଧରେ ତାଙ୍କ ସ୍ବାମୀ ଶହୀଦ ହୋଇଥିଲେ। ଯେଉଁଦିନ ତାଙ୍କ ସ୍ବାମୀଙ୍କ ମରଶରୀର ଆସିଲା ସେଦିନ ମହିଳା ଜଣଙ୍କ ବାରମ୍ବାର ଚେତା ହରାଉଥିଲେ। ସମଗ୍ର ଘଟଣାବଳୀ ସେ ଦେଖି ପାରି ନ ଥିଲେ। ସ୍ବାଭାବିକ ପରିସ୍ଥିତିକୁ ଆସିବାକୁ ତାଙ୍କୁ ୨/୩ ଦିନ ସମୟ ଲାଗିଥିଲା। ହେଲେ ଏହାପରେ ସେ ଅଦ୍ଭୁତ ବ୍ୟବହାର କରିଥିଲେ। ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇନି ବୋଲି ସେ ଜିଦ୍‌ ଧରି ବସିଥିଲେ। ସଧବା ନାରୀ ଭଳି ସିନ୍ଦୂର, ଶଙ୍ଖା ପିନ୍ଧୁଥିଲେ। ମନରେ ଟିକେ ବି ଦୁଃଖ ନ ଥିଲା। ସ୍ବାମୀଙ୍କର ମୃତ୍ୟୁ ହୋଇଛି ବୋଲି ବୁଝାଇଲେ ସୁଦ୍ଧା ସେ ବୁଝିବାକୁ ଆଦୌ ରାଜି ହେଉ ନ ଥିଲେ। କିଛି ମାସ ପରେ ମହିଳାଙ୍କ ପରିବାର ଲୋକ ମୋ ପାଖକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ପ୍ରାୟ ୬/୭ ମାସର ଚିକିତ୍ସା କରାଯିବା ପରେ ମହିଳା ଜଣଙ୍କ ମାନସିକ ଭାବେ ସୁସ୍ଥ ହୋଇଥିଲେ। ଯେଉଁଦିନ ସୁସ୍ଥ ହୋଇ ମହିଳା ଜଣଙ୍କ ମୋ ଚାମ୍ବରକୁ ଆସିଥିଲେ, ମୁଁ ଭାବି ନ ଥିଲି ଏପରି କିଛି ଘଟଣା ଘଟିବ ବୋଲି। ଚାମ୍ବରକୁ ଆସିବା ମାତ୍ରେ ସେ ଖୁବ୍‌ ଜୋରରେ କାନ୍ଦିଥିଲେ। ଏହାସହ ମନକୁ ଯାହା ଆସିଲା ତାକୁ ନେଇ ମୋତେ ଗାଳି ଦେଇଥିଲେ। ସେ ଏମିତି କିଛି କଥା କହିଲେ, ଯାହାର ଉତ୍ତର ମୋ ପାଖରେ ନ ଥିଲା। ମହିଳା ଜଣଙ୍କ କହିଥିଲେ ଯେ, ଆପଣଙ୍କ ଯୋଗୁ ଏବେ ମୁଁ ସାରା ଜୀବନ ଦୁଃଖରେ ରହିବି। ମୁଁ କିଛି ମାସ ହେବ ଖୁସିରେ ଥିଲି। ସ୍ବାମୀ ମୋ ସାଥିରେ ସବୁବେଳେ ଅଛନ୍ତି ବୋଲି ମୋ ମନରେ ଥିଲା। ‘ଆପଣଙ୍କ ଯୋଗୁଁ ଏବେ ମୋତେ ସବୁଦିନ କାନ୍ଦିବାକୁ ପଡ଼ୁଛି’ ବୋଲି ମହିଳାଙ୍କ ଗାଳିମିଶା କିଛି ଅନ୍ତରର କଥା ମୋତେ କନ୍ଦାଇ ଦେଇଥିଲା। ଏହି ଦିନକୁ କେବେ ବି ଭୁଲି ପାରିବିନି।

Share