ଜଟିଳ ହେଉଛି ଲିବ୍ୟା ସଙ୍କଟ

ତ୍ରିପୋଲି,୪ା୭: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଲିବ୍ୟା ସଙ୍କଟ। ଉତ୍ତର ଆଫ୍ରିକାର ଏହି ଦେଶକୁ ସର୍ବାଧିକ ସମୟ ଶାସନ କରିଥିବା ଏକଚ୍ଛତ୍ରବାଦୀ ମୁଆମାର ଅଲ୍‌-ଗଦ୍ଦାଫିଙ୍କ ୨୦୧୧ରେ ପତନ ହେବା ପରଠୁ ସେଠାରେ ହିଂସା ଓ ବିଭାଜନ ଲାଗିରହିଛି। ସରକାରଙ୍କ ଦ୍ୱାରା ପରିଚାଳିତ ଡିଟେନ୍‌ଶନ ସେଣ୍ଟରଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ସେପଟେ କ୍ଷମତା ଅକ୍ତିଆର ପାଇଁ ମାର୍ଶାଲ ଖଲିଫା ହଫ୍‌ତାରଙ୍କ ମହତ୍ତ୍ୱାକାଂକ୍ଷା ଦେଶରେ ଅସ୍ଥିରତା ସୃଷ୍ଟିର କାରଣ ସାଜିଛି।ଏପ୍ରିଲ ୧୪ରେ ହଫ୍‌ତାର ନିଜକୁ ଲିବ୍ୟାର ସୁପ୍ରିମ ଲିଡର ଘୋଷଣା କରିଥିଲେ। ସମ୍ପ୍ରତି ଚାଲିଥିବା ଶାନ୍ତି ଯୋଜନାକୁ ପଣ୍ଡ କରିବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ସମୁଦାୟକୁ ଏକ ସନ୍ଦେଶ ଦେବା ପାଇଁ ସେ ତ୍ରିପୋଲିକୁ ଦଖଲ କରିନେଇଥିଲେ। ସେବେଠୁ ସେଠାରେ ବିଶେଷକରି ଦକ୍ଷିଣ ତ୍ରିପୋଲିର ଗ୍ରାମାଞ୍ଚଳରେ କ୍ରମାଗତ ଭାବେ ସଂଘର୍ଷ ଲାଗିରହିଛି। ଏଥିରେ ୬୦୦ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ୫,୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଏହାସହ ୩୦ ହଜାରରୁ ଅଧିକ ପରିବାର ବିସ୍ଥାପିତ ହୋଇ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ୨୦୧୫ରୁ ସେଠାରେ ଦୁଇଟି ପ୍ରତିଦ୍ୱନ୍ଦ୍ୱୀ ସରକାର ଚାଲିଛି। ଗୋଟିଏ ଜାତିସଂଘ ଦ୍ୱାରା ସମର୍ଥତ୍ତ ସରକାର ତ୍ରିପୋଲିରେ ଚାଲିଛି, ଯାହା ଅଧୀନରେ ରାଜଧାନୀ ଓ ପଶ୍ଚିମର କେତେକ ଛୋଟ ସହର ରହିଛି। ଅନ୍ୟ ସରକାର ହଫ୍‌ତାରଙ୍କ ନେତୃତ୍ୱରେ ଚାଲିଛି, ଯାହା ଦଖଲରେ ଅବଶିଷ୍ଟ ବିସ୍ତୃତ ଭୂଖଣ୍ଡ ରହିଛି। ତନ୍ମଧ୍ୟରୁ ଅଧିକାଂଶ ଅଞ୍ଚଳରେ ତୈଳଭଣ୍ଡାର ରହିଛି।

Share