ଜଜାଙ୍ଗ ଖଣିରେ ବିଦ୍ରୋହସହସ୍ରାଧିକ ଶ୍ରମିକ ବନ୍ଦ କଲେ ଖଣିବ୍ୟାପକ ପୋଲିସଫୋର୍ସ ମୁତୟନ

ଯୋଡ଼ା, ୨୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିରେ ବର୍ଦ୍ଧିତ ଦରମା ପ୍ରଦାନ ଦାବୀରେ ସୋମବାର ସହସ୍ରାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଉକ୍ତ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ବିଦ୍ୟାଧର ପାତ୍ର, ରତ୍ନାକର ହଂସ, ଗଣେଶ ପାତ୍ର ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ, ଖଣି କମ୍ପାନୀ, ଆସିଷ୍ଟାଣ୍ଟ ଲେବର କମିଶନର ଓ ଖଣିର ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ଅନୁଯାୟୀ ପ୍ରତି ୪ବର୍ଷରେ ବାର୍ଷିକ ବର୍ଦ୍ଧିତ ଦରମା ଶ୍ରମିକ ମାନଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିଲା।
ଏହି କମ୍ପାନୀ ୨୦୧୨ ମସିହାରେ ଏହି ବର୍ଦ୍ଧିତ ଦରମା ମଧ୍ୟ ଶ୍ରମିକମାନଙ୍କୁ ଦେଇସାରିଛି। ତେବେ ଆଜିକୁ ୪ବର୍ଷ ବିତିଯାଇଥିଲେ ହେଁ କମ୍ପାନୀ ଏହି ବର୍ଦ୍ଧିତ ଦରମା ପ୍ରଦାନ କରୁ ନାହିଁ। ଏ ନେଇ ଶ୍ରମିକମାନେ କମ୍ପାନୀ ଓ ଶ୍ରମିକ ସଙ୍ଗଠନର ଦୃଷ୍ଟି ଆକର୍ଷଣ କରିବାରୁ ଚଳିତ ନିର୍ବାଚନ ପରେ ଏହା ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ନିର୍ବାଚନ ଶେଷ ହୋଇଯାଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ ଏହାର କୌଣସି ସମାଧାନ ନ କରିବାରୁ ବାଧ୍ୟ ହୋଇ ଖଣିରେ କାର୍ଯ୍ୟ କରୁଥିବା ପ୍ରାୟ ୧୮ଶହରୁ ଊର୍ଦ୍ଧ୍ୱ ଶ୍ରମିକ ରବିବାର ପୂର୍ବାହ୍ନ ୧୧ଟାରୁ କାର୍ଯ୍ୟବନ୍ଦ କରି ଖଣିର ଫାଟକ ସମ୍ମୁଖରେ ବସିରହିଥିଲେ। ଘଟଣାସ୍ଥଳରେ ଯୋଡ଼ା ଆଇଆଇସି ମନୋଜ ରାଉତ, ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ପୋଲିସ ଫୋର୍ସ ସହିତ ପହଞ୍ଚି ଆନ୍ଦୋଳନକାରୀ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ। ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ସମ୍ପର୍କରେ ଲିଖିତଭାବେ ପୋଲିସକୁ କିମ୍ବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇ ନ ଥିବା ଆଇଆଇସି ମନୋଜ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ରବିବାର ଠାରୁ ଏହି ଆନ୍ଦୋଳନ ହୋଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣୁ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାର ସମାଧାନ କରା ନ ଗଲେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି। ଶ୍ରମିକଙ୍କ ଦାବି ସମ୍ପର୍କରେ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ା