ଜଙ୍ଗଲ ଜମିରେ ବେଆଇନ ଖାଦାନ: ଆରୁହାରେ ୧୪୪ ଧାରା ଜାରି

ଯାଜପୁର ଅଫିସ/ଧର୍ମଶାଳା(ଡି.ଏନ୍‌.ଏ.),୨୧ା୮: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ଜଙ୍ଗଲ ଜମିର ୧୫୩ ଏକର ପିରିମିତ ଅଞ୍ଚଳ ଉପରେ ମଙ୍ଗଳବାର ୧୪୪ ଧାରା ଲାଗୁ ହୋଇଛି। ଏହାସହ ଏକାଧିକ ଛୋଟବଡ଼ କ୍ରଶର ସିଲ୍‌ ହୋଇଛି। ଏହାପରେ ସେଠାରେ ଚାଲିଥିବା ବେଆଇନ ପଥର ଖାଦାନ ଓ ଷ୍ଟୋନ କ୍ରଶର ଉପରେ ଏକପ୍ରକାର ଅଙ୍କୁଶ ଲାଗିଛି। ଆରୁହା କଳାପଥର ପାହାଡ଼ ଓ ଏହାର ପାଦଦେଶ ଅଞ୍ଚଳରେ ଏକାଧିକ ପଥର ଖାଦାନ ଓ କ୍ରଶର ଗଢି ଉଠିଥିଲା । ୨୭ା୨ା୨୦୧୯ ରେ ଆରୁହା ସର୍କଲର ରାଜସ୍ବ ନୀରିକ୍ଷକ ଏନେଇ ଧର୍ମଶାଳା ତହସିଲଦାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟରେ ସେ ଦର୍ଶାଇଥିଲେ ଯେ, ଆରୁହା କିସମ ପାହାଡ ଅଟେ ଏବଂ ଏହା ଆବାଦ ଅଯୋଗ୍ୟ ଅନାବାଦୀ ଖାତାର ଅନ୍ତର୍ଭୁକ୍ତ । ଏହି ପାହାଡ଼କୁ କାହାରିକୁ ଲିଜ୍‌ ଦିଆଯାଇ ନ ଥିବାରୁ ବେଆଇନ ଭାବେ କଳାପଥର ଚାଲାଣ କରାଯାଉଛି । ଏସଂକ୍ରାନ୍ତରେ ବିଭିନ୍ନସ୍ତରରେ ଅଭିଯୋଗ ମଧ୍ୟ ହୋଇଥିଲା । ଅନ୍ୟପକ୍ଷେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ତାଙ୍କ ପତ୍ରସଂଖ୍ୟା ୯୮୯/୨୮ା୩ା୨୦୧୯ ଓ ୪୬୧/୭ା୨ା୨୦୧୯ରେ କଟକ ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ କଳାପଥର ଖାଦାନଗୁଡିକର ତଦନ୍ତ ସମୟରେ ବେଆଇନ ଖାଦାନ ଓ କ୍ରଶରଗୁଡିକ ସରକାରୀ ଜଙ୍ଗଲ ଜମିରେ ଚାଲିଛି। ବିଶେଷକରି ବିଛାଖଣ୍ଡି, ଅଞ୍ଜିରା, ଡଙ୍କାରୀ, ରାହାଡ଼ପୁର ଓ ଆରୁହା ଅଞ୍ଚଳର ଖାଦାନଗୁଡ଼ିକରେ ଲିଜ୍‌ ନ ଥାଇ ଜଙ୍ଗଲ ଜମିରେ ବେଆଇନ ଭାବେ କଳାପଥର ଉତ୍ତୋଳନ ହେଉଛି ବୋଲି ପତ୍ରରେ ଦର୍ଶାଯାଇଥିଲା। ଏହିମର୍ମରେ ଧରିତ୍ରୀରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ରାଜସ୍ବ ବିଭାଗ ପକ୍ଷରୁ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଧର୍ମଶାଳା ଥାନାଧିକାରୀ ସରୋଜ ସାହି, ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲ, ଦେବୀ ମହାନ୍ତି ପ୍ରମୁଖ ଆରୁହା ଉପରେ ୧୪୪ ଧାରା ଜାରି କରିଛନ୍ତି ା ଅଗାମୀ ଦିନରେ ଏହି ଜଙ୍ଗଲ ଜମିରେ ଚାଲିଥିବା କ୍ରଶରଗୁଡିକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ପଣ୍ଡା ସୂଚନା ଦେଇଛନ୍ତି । ତେବେ ଜିଲାରେ ୧୪୦ଟି କ୍ରଶରର ପୁର୍ନରୁଦ୍ଧାର କରିବାକୁ କ୍ଲଷ୍ଟର କ୍ରଶର ପ୍ରକ୍ରିୟା ଆରମ୍ଭ ହୋଇଛି। ଆରୁହା, ଅଅଁଳାଝାଟି, ଅଞ୍ଜିରା ଓ ବାରଡାଠାରେ ୧୬୦ ଏକର ଜମିରେ ଏହି କ୍ଲଷ୍ଟର ସ୍ଥାପନ ହେବ । ଏଥିପାଇଁ ୮୭ ଜଣ କ୍ରଶର ମାଲିକ ମନୋନୀତ ହୋଇଥିବାବେଳେ ବାକି ୫୩ ଜଣଙ୍କ ଲଟେରୀ ହେବ ବୋଲି ସୂଚନା ମିଳିଛି।