ଜଙ୍ଗଲରେ ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା:ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଜୁନାଗଡ,୨୫-୯(ଡି.ଏନ.ଏ.):କଳାହାଣ୍ଡି ଜିଲାରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯିବା ଓ ଏହାର ଭିଡିଓ ଭାଇରାଲ କରାଯାଇଥିବା ନେଇ ଗତ ରବିବାର ବିଳମ୍ବିତ ରାତିରେ ଜୁନାଗଡ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଗୁରୁତର ସହ ନେଇଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା ମଙ୍ଗଳବାର ଆସି ପ୍ରଥମେ ଜୁନାଗଡ ଥାନାରେ ପହଞ୍ଚତ୍ କଳାହାଣ୍ଡି ଏସ୍‌.ପି ବି.ଗଙ୍ଗାଧରଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପୀଡିତାଙ୍କୁ ଭେଟିଥିଲେ। ଏହା ପରେ ଘଟଣାସ୍ଥଳ ଘନା ଜଙ୍ଗଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ପୀଡିତାଙ୍କୁ ସରକାରୀସ୍ତରରେ ଯାହାକିଛି ସହାୟତା ଅଛି ତାହା ପ୍ରଦାନ କରାଯିବ ବୋଲି କହିଥିଲେ। ଏହି ସମୟରେ ଘଟଣାସ୍ଥଳରେ ତାଙ୍କ ସହ ଲିଗାଲ ଏଡ୍‌ଭାଇଜର ଅରବିନ୍ଦ ପଟ୍ଟନାୟକ, ପୂର୍ବତନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ଷ୍ଟେନୋ ତ୍ରିଲୋଚନ ନାଏକ, ଆଇନଜୀବୀ କଲ୍ୟାଣୀ ନାଏକ, ପୂର୍ବତନ ସରପଞ୍ଚ ମନୀଷା ସାହୁ, ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ବସ୍‌ ଡ୍ରାଇଭରଙ୍କ ସହ ଆଉ ୪ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ୩ଟି ସ୍କ୍ବାଡ୍‌ ଗଠନ କରାଯାଇଛି।

ଅଭିଯୁକ୍ତଙ୍କ ପାଇଁ ମାମଲା ଲଢ଼ିବାକୁ ମନା କଲା ଜୁନାଗଡ଼ ଓକିଲ ସଂଘ
କଳାହାଣ୍ଡି ଜିଲାରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯିବା ଓ ଏହାର ଭିଡିଓ ଭାଇରାଲ କରାଯିବା ଘଟଣାକୁ ଜୁନାଗଡ ଓକିଲ ସଂଘ ତୀବ୍ର ନିନ୍ଦା କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାଇଁ ମାମଲା ନ ଲଢିବା ଲାଗି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଜାରିଙ୍ଗଠାରେ ଏକ ଫାଣ୍ଡି ସ୍ଥାପନ କରିବା, ଶଗଡାରୁ ଘୋଲିଜିବା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଟ୍ରୋଲିଂ କରିବା ଓ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରାଯାଇଛି। ଏ ନେଇ ଜୁନାଗଡ ଓକିଲ ସଂଘ ସଭାପତି ସୁଧାଂଶୁ ବରାଡଙ୍କ ନେତୃତ୍ୱରେ କଳାହାଣ୍ଡି ଏସ୍‌ପି ବି.ଗଙ୍ଗାଧରଙ୍କୁ ଏକ ଲିଖିତ ଦାବିପତ୍ର ଦିଆଯାଇଛି।