ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ନିଖୋଜ କନିଷ୍ଠ ଯନ୍ତ୍ରୀ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହରଡାଗୁଡା ନିକଟସ୍ଥ ମୂଷା ମାଟି ଜଙ୍ଗଲରୁ ଏସ୍‌ଡିପିଓଙ୍କ ଉପସ୍ଥିତିରେ ବିସିଂହପୁର ପୋଲିସ ରାଓଙ୍କ ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣକୁ ନେଇ ସନ୍ଦେହ ଉପୁଜିଥିବାବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳକୁ ଡକାଯାଇଛି। ସୂଚନା ମୁତାବକ, ସୋମବାର ଆରଡବ୍ଲୁଏସ୍‌ଏସ୍‌ ବିଭାଗର ଏକ ଗାଡି ଯୋଗେ କିଛି ପ୍ରକଳ୍ପ ଦେଖିବା ପାଇଁ ବୋରିଗୁମ୍ମା ବ୍ଲକର ଏସ୍‌ଡିଓ, ଦୁଇଜଣ ଜେଇ ଏବଂ ଦୁଇଜଣ କଣ୍ଟ୍ରାକ୍ଟର ହରଡ଼ାଗୁଡାକୁ ଯାଇଥିଲେ। ହେଲେ ସେଠାରୁ କନିଷ୍ଠ ଯନ୍ତ୍ରୀ ରାଓ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା। ଶେଷରେ ସେ ନିଖୋଜ ଥିବା ନେଇ ଥାନାରେ ମାମଲା ଏକ ରୁଜୁ କରାଯାଇଥିଲା। ଏ ନେଇ ତାଙ୍କ ସ୍ତ୍ରୀ ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝିଙ୍କୁ ଭେଟି ସ୍ବାମୀଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ।