ଜଙ୍ଗଲକୁ ଛତୁ ଆଣିବାକୁ ଯିବା ହେଲା କାଳ: ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ

ବାଲିଶଙ୍କରା, ୧୫।୭ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବନରେଞ୍ଜର କିଞ୍ଚିରକେଲା ସେକ୍‌ସନ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ସୋମବାର ସକାଳେ ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଦନ୍ତାହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କିଞ୍ଚିରକେଲା ଗ୍ରାମ ଓଡିଆପଡାର କୁଶ ଦଣ୍ଡସେନା (୪୫)।
ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଓଡିଆପଡାର କୁଶ ଓ ଅନ୍ୟ ୩ ଯୁବକ ଏକାଠି ସାଙ୍ଗ ହୋଇ ପଡା ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ଛତୁ ସଂଗ୍ରହ କରୁଥିବାବେଳେ ହଠାତ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ। ହାତୀ ଗୋଡ଼ାଇବାରୁ ସମସ୍ତେ ଜୀବନ ବିକଳରେ ଏଣେତେଣେ ଦୌଡି ପଳାଇଥିଲେ। ମାତ୍ର କୁଶ (୪୫)ଙ୍କୁ ଶୁଣ୍ଢରେ ଧରି ହାତୀ କଚାଡି ଦଳିଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟମାନେ ଗ୍ରାମରେ ଖବର ଦେବାପରେ ଗ୍ରାମବାସୀ ଆସି ଦେଖିଥିଲେ। କିଞ୍ଚିରକେଲା ବନପାଳ ଅଶ୍ୱିନୀ ପଟେଲଙ୍କୁ ଖବର ଦେଇଥିଲେ। ଏହାପରେ ବନପାଳ ସହିତ ବନରକ୍ଷୀ ଆସି ମୃତଦେହ ପାଖରୁ ହାତୀକୁ ଘଉଡାଇଥିଲେ। ବନବିଭାଗ ତରଫରୁ ବନପାଳ ପଟେଲ ମୃତ କୁଶଙ୍କ ପରିବାରକୁ ଶବଦାହ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ପରେ ତାଙ୍କୁ ୪ ଲକ୍ଷ ଟଙ୍କା ଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୃତଦେହକୁ କିଞ୍ଚିରକେଲା ପୋଲିସ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପ୍ରକାଶ ଯେ, ଝାଡ଼ଖଣ୍ଡରୁ ଏହି ଅଞ୍ଚଳକୁ ଆସିଥିବା ହାତୀପଲରୁ ଏହି ହାତୀ ଦଳ ଛଡ଼ା ହୋଇ ରହିଯାଇଛି। ହାତୀପଲ ଝାଡ଼ଖଣ୍ଡ ଫେରିଯାଇଥିଲେ ମଧ୍ୟ ଏହି ଦନ୍ତାହାତୀ ଏକୁଟିଆ ରହିଯାଇ ଉପଦ୍ରବ ଚଳାଇଛି। ଏହାକୁ ଅଞ୍ଚଳରୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।