ଜଗିଲେ ୧୬ ଯୁବକ, ଆତଙ୍କ ଖେଳାଇଲେ ୩୦ ମହିଳା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଶହୀଦନଗର ଥାନାଞ୍ଚଳରେ କେତେଜଣ ମହିଳା ଆତଙ୍କରାଜ ଚଳାଇଛନ୍ତି। ରବିବାର ୩୦ରୁ ଊର୍ଦ୍ଧ୍ୱ ମହିଳା ଜିଏ ପ୍ଲଟ୍‌ ନଂ.୧୩୩ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଆସବାବପତ୍ର ବାହାରକୁ ଫିଙ୍ଗାଫୋପଡ଼ା କରିଥିଲେ। ଏଥିସହ ପରିବାର ସଦସ୍ୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଧମକ ଦେଇଥିଲେ। ଜଣେ ୬୦ ବର୍ଷର ବୃଦ୍ଧା ଓ ଅନ୍ୟମାନଙ୍କୁ ଘୋଷାରି ନେବା ସହ ଟେକି ଆଣି ଘର ବାହାରେ କଚାଡ଼ି ଦେଇଥିଲେ। ମହିଳାମାନେ ଏପରି କାଣ୍ଡ ଘଟାଉଥିବାବେଳେ ସେମାନଙ୍କୁ ଧରି ଆସିଥିବା ୧୬ରୁ ଊର୍ଦ୍ଧ୍ୱ ଯୁବକ ଘର ବାହାରେ ଘେରାଉ କରି ରହିଥିଲେ। ସେମାନେ ହାତରେ ଲୁହାରଡ ଓ ଠେଙ୍ଗାଧରି ଜଗି ରହିଥିବାରୁ ସ୍ଥାନୀୟ ଲୋକେ ଭୟରେ ପ୍ରତିବାଦ କରିବାକୁ ସାହାସ କରି ନ ଥିଲେ। ପରିବାର ସଦସ୍ୟଙ୍କ ମଧ୍ୟରୁ କେହିଜଣେ ପୋଲିସକୁ ଫୋନ୍‌ କରିଥିଲେ ମଧ୍ୟ କେହି ଆସି ନ ଥିଲେ। ପୋଲିସ କମିଶନର ଓ ଡିସିପିଙ୍କ ନିକଟରେ ଖବର ପହଞ୍ଚତ୍ବା ପରେ ପୋଲିସ ଟିମ୍‌ ପହଞ୍ଚତ୍ ଏକାଧିକ ମହିଳାଙ୍କୁ ଧରି ଥାନାକୁ ନେଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ସେମାନେ ପୁଣି ଆସି ଫିଙ୍ଗା ହୋଇଥିବା ସାମଗ୍ରୀକୁ ଭଙ୍ଗାରୁଜା କରିଥିଲେ। ଏଭଳି ଆତଙ୍କ ରଚାଇଥିବା ମହିଳାମାନେ ସାଲିଆସାହିର ହୋଇଥିବା ପୋଲିସ ଜାଣିବାକୁ ପାଇଛି। ଉକ୍ତ ଘରେ ରହୁଥିବା ଛବିରାଣୀ ମହାପାତ୍ରଙ୍କ ଅଭିଯୋଗକ୍ରମେ ଶହୀଦନଗର ଥାନା ପୋଲିସ କେସ୍‌ ନଂ-୭୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଉକ୍ତ ଘରଟି ଛବିରାଣୀଙ୍କ ବାପା ବଂଶୀଧର ନାୟକଙ୍କ ନାମରେ ରହିଛି। ଉକ୍ତ ଘରକୁ ନେଇ ଭୁବନେଶ୍ୱର କୋର୍ଟରେ ମାମଲା ବିଚାରାଧୀନ ରହିଛି। ଛବିରାଣୀ ଅଭିଯୋଗ କରିଛନ୍ତି ଯେ, ପୂର୍ବାହ୍ନ ସାଢେ ୧୦ଟାରେ ୩୦ଜଣ ମହିଳା ଘରେ ପଶି ଏଭଳି କାଣ୍ଡ ଘଟାଇଥିଲେ। ପୋଲିସକୁ ଫୋନ୍‌ କରିବା ପରେ ପିସିଆର ଭ୍ୟାନ୍‌ ଆସି ଉକ୍ତ ମହିଳାମାନଙ୍କୁ ଥାନାକୁ ନେଇଥିଲା। ହେଲେ ମଧ୍ୟାହ୍ନ ୧୨ ଟା ପରେ ସମ୍ପୃକ୍ତ ମହିଳାମାନେ ପୁଣି ଆସି ଘରେ ପଶି ଆସବାବପତ୍ର ଫିଙ୍ଗାଫିଙ୍ଗି କରିଥିଲେ। ଏହାପରେ ଫୋନ୍‌ କରିଥିଲେ ମଧ୍ୟ ପୋଲିସ ଆସି ନ ଥିତ୍ବା ସେ ଅଭିଯୋଗ କରିଛନ୍ତି।
ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି କହିଛନ୍ତି, ଅଭିଯୋଗ କରିଥିବା ମହିଳାଙ୍କ ବାପା ବଂଶୀଧର ନାୟକ ୨୦୦୮ରେ ଉକ୍ତ ଘରକୁ ବିକ୍ରି କରି ଦେଇଛନ୍ତି। ଏପରି କି ତାଙ୍କୁ ଉକ୍ତ ଘରୁ ବାହରିଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ମଧ୍ୟ ସେମାନେ ଛାଡୁ ନାହାନ୍ତି। ତେବେ ପ୍ରତିପକ୍ଷ ଘରେ ପଶି ଭଙ୍ଗାରୁଜା ଓ ଆକ୍ରମଣ ଭଳି ଘଟଣା ଘଟାଇବା ଆଇନ ଅନୁଯାୟୀ ଅପରାଧ। ଏନେଇ ଏକ ମାମଲା କରାଯାଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରତିପକ୍ଷ କୋର୍ଟ ଅର୍ଡର ଅନୁସାରେ ପୋଲିସ ସହାୟତାରେ ସେମାନଙ୍କୁ ଘରୁ ବାହାର ନ କରି ଆଇନକୁ ହାତକୁ ନେଲେ କାହିଁକି?