ଜଗନ୍ନାଥଙ୍କ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବାଲେଶ୍ୱର ଅଫିସ,୧।୬ – ଜଗନ୍ନାଥ ସଂସ୍କୃତିର ଅନନ୍ୟ ଚିତ୍ର ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ବାଲେଶ୍ୱର କଳା କେନ୍ଦ୍ର ଓ ନୋସି ଇମ୍ଫାର ମିଳିତ ଆନୁକୂଲ୍ୟରେ ରବିବାର ୬ଷ୍ଟ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ରେମୁଣା ଗୋଲେଇ ନିକଟସ୍ଥ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ଓ ରାଣୀ ମନୋଜା ମଞ୍ଜରୀ ଦେବୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପଟିଦିଅଁ ଅଙ୍କନ ଉତ୍ସବର ଆବାହକ ଶିଳ୍ପୀ କେଶୁଦାସ ପୌରୋହିତ୍ୟ କରିଥିବା ବେଳେ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ସେବକ ମନୋରଞ୍ଜନ ସାହୁ, ଅଭିମନ୍ୟୁ ସାହୁ ଓ ପଟିଦିଅଁ ଅଙ୍କନର ଚିତ୍ରକର ପ୍ରୀତମ ନାୟକ, ଅରୁଣ ବାରିକ, ପ୍ରବୀର ପାତ୍ର, ଦିବ୍ୟ ରାଉତ, ଗୋପାଳ ପରିଡ଼ା, ହିମାଂଶୁ ବଇଠା, ଆଦିତ୍ୟ ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ପଟିଦିଅଁ ପରମ୍ପରା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଚଳିତବର୍ଷ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ୫ତାରିଖ (ସ୍ନାନ ପୂର୍ଣ୍ଣିମା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବାଲେଶ୍ବରର ୫ଟି ଜଗନ୍ନାଥ ମନ୍ଦିର ଯଥା ନୀଳଗିରି, ଶାସଙ୍ଗ, ଜୟଦେବ କସବା, ମଙ୍ଗଳପୁର ଓ ଦୁବଲାଗଡି ଲାଗି ପଟିଦିଅଁ ଅଙ୍କନ କରାଯିବ। ଲକ୍‌ଡାଉନର ସରକାରୀ ନିୟମକୁ ପାଳନ କରାଯାଇ କାର୍ଯ୍ୟକ୍ରମ କରାଯିବ ବୋଲ ସ୍ଥିର କରାଯାଇଛି । ଏଥିରେ ମନ୍ଦିର ପୂଜକ ସହ ନିରଞ୍ଜନ ଗିରି, ନିରଞ୍ଜନ ସାହୁ, ସଞ୍ଜୁଲତା ସାହୁ, ରାଜଶ୍ରୀ ସାହୁ ଓ ସଞ୍ଜୁତା ଭୁକ୍ତା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବାଲେଶ୍ବର ଇସ୍କନ ସଦସ୍ୟ ଜିତାମିତ୍ର ଦାସ ଧନ୍ୟବାଦ ଦେଇଥିଲେ।