ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ ନେଇ ଦୋଷ ଲଦାଲଦି

ଭୁବନେଶ୍ୱର,୯।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କ ଖରାପ ସ୍ଥିତିଦେଇ ଗତି କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ଥ ସେଥିରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ପ୍ରାୟ ୫୪୫ କୋଟି ଟଙ୍କା ରଖାଯାଇଛି। ବର୍ତ୍ତମାନ ଉକ୍ତ ବ୍ୟାଙ୍କରୁ ୩୦ଦିନରେ ମୋଟ ୫୦ହଜାର ଟଙ୍କା ଉଠାଯାଇପାରିବ ବୋଲି ଖବର ଆସିବାପରେ ମହାପ୍ରଭୁଙ୍କ ଅର୍ଥକୁ ନେଇ ସମସ୍ତେ ସରକାରଙ୍କୁ ଆଙ୍ଗୁଳି ଉଠାଇଛନ୍ତି। ଏହି ୫୪୫ କୋଟି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ସମସ୍ତଙ୍କ ଅଗୋଚରରେ ଜମା ରଖିବା ପଛରେ ମନ୍ଦ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହେଉଛି ବୋଲି ଭାଜପା ଅଭିଯୋଗ କରିଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ଘଟଣାରେ ସରକାରଙ୍କୁ ଘେରିଥିବା ବେଳେ ବିଜେଡି ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇ ଏ ବିଷୟରେ କେନ୍ଦ୍ରରେ ଶାସନ ଦାୟିତ୍ୱରେ ଥିବା ତାଙ୍କ ସରକାରକୁ ପଚାରନ୍ତୁ ବୋଲି କୁହାଯାଇଛି। ଅନ୍ୟପଟେ ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି ଯେ, ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଥିବା ଆର୍‌ବିଆଇ ଜଣାଇଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଅର୍ଥ ବିଭାଗ ଅଧିକାରୀ ଆର୍‌ବିଆଇ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସେପଟୁ ଆଶ୍ୱସ୍ତ କରାଯାଇଥିବା ସେ କହିଛନ୍ତି। ସେହିପରି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ୟେସ୍‌ ବ୍ୟାଙ୍କରେ ଜମା ଥିବା ଅର୍ଥ ଉଠାଣ ପାଇଁ ଆର୍‌ବିଆଇକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି ଯେ, ଏସଏଲବିସିଙ୍କ ଗାଇଡଲାଇନ ଆଧାରରେ ତତ୍କାଳୀନ ଅତିରିକ୍ତ ଶାସନ ସଚିବ ସରକାରଙ୍କ ଅର୍ଥ କେଉଁ ବ୍ୟାଙ୍କରେ ଜମା ରହିବ, ତାର ଏକ ତାଲିକା ୨୦୧୭ରେ ଦେଇଥିଲେ। ଏହି ତାଲିକାରେ ୨୨ଟି ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ବୃହତ୍‌ ବ୍ୟାଙ୍କ ଏବଂ ୩ଟି ସମବାୟ ବ୍ୟାଙ୍କର ନାମ ଉଲ୍ଲେଖ ରହିଥିଲା। ଏହି ତାଲିକାରେ ପ୍ରଭୁ ଜଗନ୍ନାଥଙ୍କ ଦାନ ଅର୍ଥରାଶି ଜମା ଥିବା ୟେସ୍‌ ବ୍ୟାଙ୍କର ନାମ ଯୋଗ୍ୟତା ତାଲିକାରେ ନ ଥିଲା। ୟେସ୍‌ ବ୍ୟାଙ୍କ ଦେବାଳିଆ ସ୍ଥିତି ସମ୍ପର୍କରେ ଜାଣି ତିରୁପତି ମନ୍ଦିର ଟ୍ରଷ୍ଟ ନିଜ ୧୩୦୦ କୋଟି ଟଙ୍କା ଜମା ରାଶି ଉଠାଇ ନେଇଥିବାବେଳେ ଜଗନ୍ନାଥ ମନ୍ଦିର ପ୍ରଶାସନ କିପରି ଚିନ୍ତାମୁକ୍ତ ଏବଂ ନୀରବଦ୍ରଷ୍ଟା ସାଜିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ୨୦୧୯ ଜୁଲାଇରେ ୟେସ୍‌ ବ୍ୟାଙ୍କକୁ ସରକାର ଯୋଗ୍ୟତା ତାଲିକାରେ ସାମିଲ କଲେ। ଏତେବଡ଼ ଭୁଲ୍‌ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ଭାଜପା ପ୍ରଶ୍ନ କରିବା ସହ ଏନେଇ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ହରିଚନ୍ଦନ ଦାବି କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପ୍ରଥମ କଥା ହେଉଛି ଏହି ଅର୍ଥ କୌଣସି ଘରୋଇ ବ୍ୟାଙ୍କରେ ରଖାଯାଇପାରିବ ନାହିଁ। ଘରୋଇ ବ୍ୟାଙ୍କକୁ ଏତେ ଟଙ୍କା ଗଲା କିପରି। ଏ ବିଷୟରେ ଯଦି ଆଇନ ବିଭାଗ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଜାଣିଥାଆନ୍ତି ତେବେ ସେମାନେ ହିଁ ଏଥିପାଇଁ ଦାୟୀ। ସୌନ୍ଦର୍ଯ୍ୟକରଣ ନାଁରେ ଜଗନ୍ନାଥଙ୍କ ସମ୍ପତ୍ତିକୁ ଲୁଟିବା ପାଇଁ ଏମାନେ ଚେଷ୍ଟା କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ତାଲିକାରେ ଏହି ବ୍ୟାଙ୍କ ରହିଛି। ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାଙ୍କ କାର୍ଯ୍ୟ କରିଥାଏ। ସେହି ଅନୁସାରେ ଏହା ସିଡ୍ୟୁଲ ବ୍ୟାଙ୍କ ହୋଇଥିବାବେଳେ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସାର୍ବଭୌମତ୍ୱ ଗ୍ୟାରେଣ୍ଟିକୁ ଉପଭୋଗ କରୁଛି। ଭାଜପା ମୁଖପାତ୍ର ଏହା ଭଲଭାବେ ଜାଣିଥିଲେ ମଧ୍ୟ ମିଥ୍ୟା ଏବଂ ଅବାସ୍ତବ ମନ୍ତବ୍ୟ ଦେଇ ନିୟମିତ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ୟେସ ବ୍ୟାଙ୍କର ଜମା ଅର୍ଥର ସୁରକ୍ଷା ଓ ନିରାପତ୍ତା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଜଗନ୍ନାଥଙ୍କ ଅର୍ଥ ଏବଂ ସାଧାରଣ ଲୋକଙ୍କ ଅର୍ଥକୁ କେନ୍ଦ୍ରରେ କ୍ଷମତାରେ ଥିବା ସରକାର ସୁରକ୍ଷା ଦେଇପାରି ନାହାନ୍ତି। ଏଠି ମିଛ କହିବା ପରିବର୍ତ୍ତେ ଭାଜପା ଲୋକଙ୍କୁ ଧରି ଦିଲ୍ଲୀ ଯାଇ ସେଠାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଜଗନ୍ନାଥଙ୍କ ଅର୍ଥ କିଭଳି ସୁରକ୍ଷିତ ଭାବେ ଫେରିବ ତାହା ଉପରେ ପଦକ୍ଷେପ ନେଉ ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri