ଜଗତ୍‌ସିଂହପୁର ଜିଲାରେ ରଜ କଟକଣା: ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବା ମନା

ଜଗତ୍‌ସିଂହପୁର ଅଫିସ, ୧୩ା୬: ଓଡ଼ିଶାର ଗଣ ପର୍ବ ରଜ। ରଜରେ ସହରରୁ ଗାଁ ସବୁଠି ଚଳଚଞ୍ଚଳ। ମାତ୍ର ଚଳିତବର୍ଷ କରୋନା ସଂକ୍ରମଣ ଓ କଟକଣା ଏକପ୍ରକାର ରଜକୁ ଫିକା କରିଦେଇଛି । ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ରଜ ୩ ଦିନ ବିଶେଷ କଟକଣା ଜାରି କରାଯାଇଛି। କୌଣସି ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ଏଥିସହ ପ୍ରତ୍ୟେକଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ୬ ଫୁଟ୍‌ ରଖାଯାଇଛି । ମାସ୍କ ପିନ୍ଧିବା ମଧ୍ୟ ପୂର୍ବପରି ବାଧ୍ୟତାମୂଳକ କରାଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ ଜାରି କରି କହିଛନ୍ତି । ଗାଁ ଗହଳିରେ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଏସ୍‌ପିଙ୍କୁ ଅନୁରୋଧ କରାଯାଇଥିବା ଜିଲାପାଳ କହିଛନ୍ତି ।