ଜଗତସିଂହପୁରରେ ଗୋଟିଏ ଦିନରେ ୨୯ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୮କୁ ବୃଦ୍ଧି

ଜଗତସିଂହପୁର ଅଫିସ,୨୧ା୬: ଜଗତ୍‌ସିଂହପୁର ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ରବିବାର ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୭ ଜଣ ରହିଛନ୍ତି। ଅନ୍ୟ ବ୍ଲକ ଯଥା ଜଗତ୍‌ସିଂହପୁରରୁ ୬, ନାଉଗାଁ ୩ ଓ ରଘୁନାଥପୁରରୁ ୩ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତିର୍ତ୍ତୋଲ ବ୍ଲକର ୧୭ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୧୦, ଉତ୍ତରପ୍ରଦେଶରୁ ଜଣେ, ହରିୟାଣରୁ ଜଣେ, ତାମିଲନାଡୁରୁ ୩, କର୍ଣ୍ଣାଟକ ଜଣେ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏ ଫେରିଛନ୍ତି। ସେହିପରି ଜଗତ୍‌ସିଂହପୁରର ୬ ଜଣଙ୍କ ମଧ୍ୟରୁ ଦିଲ୍ଲୀରୁ ୩, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରୁ ଜଣେ ଲେଖାଏ ଫେରି କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ନାଉଗାଁର ୩ ଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଦିଲ୍ଲୀ ଏବଂ ବରଗଡ଼ରୁ ଜଣେ ଲେଖାଏ ଫେରିଛନ୍ତି। ରଘୁନାଥପୁରର ୩ ଜଣ ଯାକ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ, ଏହି ୨୯ ଜଣଙ୍କୁ ମିଶାଇ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୨୦୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୩୦ ଜଣ ସୁସ୍ଥ ହୋଇଥିବା ବେଳେ ୭୮ ଜଣ ଚିକିତ୍ସାଧୀନ ଥିବା ଜଣାଯାଇଛି।