ଜଗତସିଂହପୁରରେ ‘ଅମ୍ଫନ୍‌’ ପ୍ରଭାବ: ଭାଙ୍ଗିଲା କଚ୍ଚା ଘର, ବିଦ୍ୟୁତ୍‌ ସେବା ଠପ୍‌; ଗଛ ଉପୁଡ଼ି ଗମନାଗମନ ବାଧାପ୍ରାପ୍ତ

ଜଗତସିଂହପୁର ଅଫିସ, ୨୦।୫: ବାତ୍ୟା ଅମ୍ଫନକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା l ସୌଭାଗ୍ୟବଶତଃ ବାତ୍ୟା ଟଳି ଯାଇଥିବାବେଳେ କୌଣସି ଲୋକଙ୍କ ଜୀବନହାନୀ ଘଟିନାହିଁ। କିନ୍ତୁ ଜିଲାର ବିଭିନ୍ନ ସ୍ଥାନରେ ଗଛ ପଡି ଗମନାଗମନରେ ବାଧା ସୃଷ୍ଟି ହେବା ସହ କଚ୍ଚା ଓ ଚାଳ ଛପର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛିି। ରାସ୍ତା ପାର୍ଶରେ ଗଛ ପଡି ଏରସମା-ଚଟୁଆ ରାସ୍ତାର ଏରସମା ଉଚ୍ଚବିଦ୍ୟାଳୟ ନିକଟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି l ସେହିପରି ଢ଼ିଙ୍କିଆ ଗୋବିନ୍ଦପୁରରେ ଜଣଙ୍କ ଘର ଉପରେ ନଡ଼ିଆ ଗଛପଡ଼ି଼ଥୁବାର ଖବର ମିଳିଛି l ବାଲିକୁଦା-ବୋରିକିନା ରାସ୍ତାର ତିତିରା, ବାଲିକୁଦା-ନାଉଗାଁ ରାସ୍ତାର ବୋଦା ଓ ତିହୁ ରାସ୍ତାରେ ଗଛ ପଡିଛି l ପାରାଦୀପର ନେହେରୁ ବଙ୍ଗଳା, ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା, କୁମ୍ଭୀର ଛକ ସମେତ ଜଗତସିଂହପୁରର ହାଟବଜାର, ସଁlପୁର, ଢିଅସହି ଆଦି ଏକାଧିକ ସ୍ଥାନରେ ଗଛ ପଡି ଗମନାଗମନରେ ବାଧା ସୃଷ୍ଟି କରିଛି l ଜଗତସିଂହପୁର ସହର ସମେତ ଜିଲାର ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଡିଯାଇଥିବାରୁ ବିଦ୍ୟୁତ ସେବା ଠପ ହୋଇଯାଇଛି l