Categories: ଫୁରସତ

ଛୋଟ ନୋଟ୍‌ର ୧୦୩ ବର୍ଷର ବଡ଼ କାହାଣୀ

ମୁମ୍ବାଇ, ୧୩।୬: ଭାରତରେ ପ୍ରଚଳିତ ସବୁ କାଗଜ ନୋଟ୍‌ରେ ରିଜର୍ଭବ୍ୟାଙ୍କ ଗଭର୍ନରଙ୍କ ହସ୍ତାକ୍ଷର ରହିଥାଏ। ତେବେ କେବଳ ଏକ ଟଙ୍କିଆ ନୋଟ୍‌ରେ ନ ଥାଏ। ଏଥିରେ ଅର୍ଥ ସଚିବଙ୍କ ହସ୍ତାକ୍ଷର ରହିଥାଏ। ଏହାକୁ ରିଜର୍ଭ ବ୍ୟାଙ୍କ ମଧ୍ୟ ଜାରି କରନ୍ତି ନାହିଁ। ଏକ ଟଙ୍କିଆ ନୋଟ୍‌କୁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଜାରି କରନ୍ତି। ୧୯୩୫ ଏପ୍ରିଲ୍‌ ୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯୩୪ ଅଧିନିୟମ ଦ୍ୱାରା ସ୍ଥାପିତ ହୋଇଥିଲା। ତେବେ ଏହା ପୂର୍ବରୁ ୧୯୧୭ ନଭେମ୍ବର ୩୦ରେ ଏକ ଟଙ୍କିଆ ନୋଟ୍‌ର ଛପାକାର୍ଯ୍ୟ ହୋଇଥିଲା। ଦେଶରେ ପ୍ରଚଳିତ ଏହି ଛୋଟ ନୋଟ୍‌ର ୧୦୩ ବର୍ଷର କାହାଣୀ ବେଶ୍‌ ରୋଚକ। ୧୯୨୬ରେ ଭାରତ ସରକାର ଏହାର ଛପାକୁ ବନ୍ଦ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ୧୯୪ରେ ଏହାର ଛପା ପୁଣି ଆରମ୍ଭ ହୋଇଥିଲା। ୧୯୯୪ରେ ସରକାର ଏକ ଟଙ୍କିଆ ନୋଟ୍‌ ଛପା ବନ୍ଦ କରିଥିଲେ। ତେବେ ୨୦୧୫ଠାରୁ ପୁଣିଥରେ ଏକ ଟଙ୍କିଆ ନୋଟ୍‌ ଛପା ଆରମ୍ଭ ହୋଇଛି। ୨୦୨୦ ଫେବୃୟାରୀରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ଟଙ୍କିଆ ନୋଟ୍‌ ଛପା ସମ୍ପର୍କିତ ଅଧିସୂଚନା ଜାରି କରାଯାଇଥିଲା। ଏହି ଅଧିସୂଚନାରେ ନୋଟ୍‌ ପାଇଁ ନୂଆ କଳେବର ପ୍ରସ୍ତୁତ କରାଯାଇଥିଲା। ଅଧିସୂଚନା ଅନୁସାରେ ଏକ ଟଙ୍କିଆ ନୋଟ୍‌ର ଲମ୍ବା ୯.୭ ସେମି ଏବଂ ପ୍ରସ୍ଥ ୬.୩ ସେମି ରହିଛି।

Share