ଛେଳି ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ: ୧ ଲକ୍ଷ ଟଙ୍କା ଲୁଟିନେଲେ ରାଜପଥ ଲୁଟେରା

ଛେଣ୍ଡିପଦା,୨୭।୬(ଡି.ଏନ୍‌.ଏ.)- ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା ଅନ୍ତର୍ଗତ ସାଆନ୍ତରାପୁର ଗ୍ରାମ ନିକଟରେ ଗୁରୁବାର ସକାଳେ ଜଣେ ଛେଳି ବ୍ୟବସାୟୀ ଲୁଟର ଶିକାର ହୋଇଛନ୍ତି। ସେ ହେଲେ ଅନୁଗୋଳ ଥାନା ଅନ୍ତର୍ଗତ ଶାବଳଭଙ୍ଗା କରଞ୍ଜ ସାହି ଗ୍ରାମର ଡମ୍ବରୁ ସାହୁ । ଡମ୍ବରୁ ଛେଳି କିଣିବା ପାଇଁ ତୁକୁଡ଼ା ସାପ୍ତାହିକ ହାଟକୁ ଏକ ମୋଟରସାଇକେଲ ଯୋଗେ ଆସୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ରାସ୍ତା ଉପରେ ଅଟକାଇ ଥିଲେ। ହଠାତ ତାଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ଡମ୍ବରୁଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଦୁର୍ବୃତ୍ତମାନେ ତାଙ୍କଠାରୁ ଏକ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଖବରପାଇ ଜରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଆହତ ବ୍ୟବସାୟୀଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଛିି। ତେବେ ସକାଳ ସମୟରେ ଜାତୀୟ ରାଜପଥ ଉପରେ ଏଭଳି ଲୁଟପାଟ ଘଟଣା ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି। ପୋଲିସ ରାଜପଥ ଲୁଟେରାମାନଙ୍କୁ ଧରିବା ପାଇଁ ଛାନଭିନ ଜାରି ରହିଛି । ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଥାନା ଆଇଆଇସି ବିନ୍ଦୁ ବାସିନ୍ଦା ବିଶ୍ୱାଳ ତଦନ୍ତ ଜାରି ରଖିଛନ୍ତି ।