ଛେନାଝିଲ୍ଲି ପାଇଁ ଜିଆଇ ଟ୍ୟାଗ୍‌: ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଓଡ଼ିଶାର ରସଗୋଲାକୁ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମିଳିବା ପରେ ଏବେ ନିମାପଡ଼ା ପ୍ରସିଦ୍ଧ ଛେନାଝିଲ୍ଲିକୁ ଜିଆଇ ଟ୍ୟାଗ୍‌ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆବେଦନ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଗତଥର ରସଗୋଲାର ଜିଆଇ ଟ୍ୟାଗ୍‌ ଓଡ଼ିଶା ହାତରୁ ପଶ୍ଚିମବଙ୍ଗ ହାତକୁ ଚାଲିଯାଇଥିବାରୁ ଏଥର ଆଉ ଆବେଦନ ପ୍ରକ୍ରିୟାରେ କୌଣସି ପ୍ରକାର ହେଳା ନ କରିବାକୁ ସ୍ଥିର ହୋଇଛି। ରାଜ୍ୟ ଏବଂ ରାଜ୍ୟ ବାହାରେ ନିମାପଡ଼ା ଛେନାଝିଲ୍ଲିର ବିଶେଷ ଲୋକପ୍ରିୟତା ରହିଥିବାରୁ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିଭାଗ ଜିଆଇ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରାରମ୍ଭିକ ସର୍ଭେ ଆରମ୍ଭ କରିଛି। ପୁରୀ ଜିଲାର ନିମାପଡ଼ାରୁ ଛେନାଝିଲ୍ଲି ସୃଷ୍ଟି ହୋଇଥିବାବେଳେ ସର୍ଭେ ପାଇଁ ଏଠାକୁ ଏକ ୩ଜଣିଆ ଟିମ୍‌ ପଠାଯାଇଛି। ମଙ୍ଗଳବାର ଏହି ଟିମ୍‌ ନିମାପଡ଼ାର ବିଭିନ୍ନ ଅଞ୍ଚଳ ବୁଲି ଛେନାଝିଲ୍ଲିର ଉତ୍ପତ୍ତିସ୍ଥଳ ଏବଂ ଇତିହାସ ସମ୍ପର୍କରେ ପଚାରି ବୁଝିଥିଲେ। ନିମାପଡ଼ା ବଜାରରେ ଥିବା ମିଠା ଦୋକାନୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ଛେନାଝିଲ୍ଲିର ମୂଳ ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଟିମ୍‌ ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପରେ ଜିଆଇ ଟ୍ୟାଗ୍‌ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।