Categories: ଖେଳ

ଛେତ୍ରୀଙ୍କୁ ଆଦର୍ଶ ମାନିବାକୁ ଯୁବ ଫୁଟବଲରୁ ବିଜୟନ୍‌ଙ୍କ ପରାମର୍ଶ

ନୂଆଦିଲ୍ଳୀ,୧୧।୫(ପି.ଟି.): ଦେଶର ଯୁବ ଫୁଟବଲରଙ୍କୁ କିମ୍ବଦନ୍ତୀ ଫୁଟବଲର ଆଇ.ଏମ୍‌. ବିଜୟନ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳ ଅଧିନାକ ସୁନୀଲ ଛେତ୍ରୀଙ୍କ ପଦାନୁସରଣ କରିବାକୁ ଓ ତାଙ୍କୁ ଆଦର୍ଶ ମାନିବାକୁ ସେ ଯୁବ ଫୁଟବଲରମାନଙ୍କୁ ପରାମର୍ଶ ଦେଇଛନ୍ତି।
ଗତ ମାସ ବିଜୟନ୍‌ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ୩୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଦୀର୍ଘଦିନ ଧରି ନିରବଚ୍ଛିନ୍ନ ଭାବେ ଖେଳ ଜାରି ରଖିଥିବାରୁ ସେ ଛେତ୍ରୀଙ୍କୁ ତାରିଫ୍‌ କରିଛନ୍ତି। ଏଥିରୁ ଯୁବ ଖେଳାଳିମାନେ ବହୁତ କିଛି ଶିକ୍ଷା କରିପାରିବେ ବୋଲି ଛେତ୍ରୀଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲାଇଭ୍‌ ଚାଟ୍‌ରେ ଅଂଶଗ୍ରହଣ କରିବା ଅବସରରେ ସେ ଏହି କଥା କହିଛନ୍ତି। ତୁମର ମ୍ୟାଚ୍‌ଗୁଡିକୁ ନିୟମିତ ଭାବେ ଦେଖିଥାଏ। ନିଜ କ୍ଲବ ଓ ଦେଶ ପାଇଁ ଯେଉଁଭଳି ଉତ୍ସର୍ଗୀକୃତ ମନୋଭାବ ନେଇ ଖେଳୁଛ, ତାହା ବାସ୍ତବରେ ଶିକ୍ଷଣୀୟ ବୋଲି ଛେତ୍ରୀଙ୍କୁ ସମ୍ବୋଧନ କରି ବିଜୟନ କହିଛନ୍ତି। ଭାରତ ପାଇଁ ଯେତେ ସଂଖ୍ୟାରେ ମ୍ୟାଚ୍‌ ଖେଳିଛ ଓ ଗୋଲ ସ୍କୋର କରିଛ, ତାହା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ତେଣୁ ଅବଦୁଲ ସମାଦ ଓ ଆଶିକ କୁରୁନିୟାନଙ୍କ ଭଳି ଯୁବ ତଥା ଆଗାମୀ ପିଢିର ଫୁଟବଲର ଛେତ୍ରୀଙ୍କୁ ଆଦର୍ଶ ଓ ଉଦାହରଣ ରୂପେ ବିବେଚନା କରନ୍ତୁ ବୋଲି ପରାମର୍ଶ ଦେଇଛି। ଉଲ୍ଲେଖଥାଉ କି, ଛେତ୍ରୀ ଭାରତ ପାଇଁ ସର୍ବାଧିକ ୧୦୮ଟି ମ୍ୟାଚ୍‌ ଖେଳି ରେକର୍ଡ କରିଛନ୍ତି ଓ ୭୨ଟି ଗୋଲ ଦେଇ ଅନ୍ତର୍ଜାତୀୟସ୍ତରରେ ଦ୍ୱିତୀୟ ସର୍ବାଧିକ ଗୋଲ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ତେବେ ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ୯୯ଟି ଗୋଲ ଦେଇ ଶୀର୍ଷ ରହିଥିବା ବେଳେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସି ୭୦ଟି ଗୋଲ ଦେଇ ତୃତୀୟ ସ୍ଥାନରେ ରହିଛନ୍ତି। ଛେତ୍ରୀ ଏବେ ରୋନାଲ୍ଡୋ ଓ ମେସିଙ୍କ ମଝିରେ ରହିଛନ୍ତି। ବିଜୟନ ମଧ୍ୟ ଭାରତର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ବିବେଚିତ ହୋଇଥାନ୍ତି। ସଫଳତାରେ ଅତ୍ୟଧିକ ଉତ୍ସାହିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଛେତ୍ରୀ ମଧ୍ୟ ବିଜୟନଙ୍କୁ ପ୍ରଶଂସା କରିଛନ୍ତି। ପୂର୍ବତନ ଅଧିନାୟକ ବିଜୟନ ଭାରତ ପାଇଁ ୭୯ଟି ମ୍ୟାଚ୍‌ ୧୯୯୨ରୁ ୨୦୦୩ ମଧ୍ୟରେ ଖେଳିଛନ୍ତି। ବିଜୟନ ଜଣେ ଅସାଧାରଣ ତଥା ଉଚ୍ଚକୋଟୀର ଫୁଟବଲର ବୋଲି ଛେତ୍ରୀ ଏହି ଇନ୍‌ଷ୍ଟାଗ୍ରାମ ଚାଟ୍‌ରେ କହିଛନ୍ତି।

Share