Categories: ଅନୁଗୋଳ

ଛେଣ୍ତିପଦା ସାଲୁଇଖମଣରେ ବାର୍‌ହା ଆତଙ୍କ: ଜୀବନ ରକ୍ଷା ଲାଗି ପୋଖରୀକୁ ଡେଇଁଲେ ବ୍ୟକ୍ତି

ଛେଣ୍ଡିପଦା,୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ସାଲୁଇଖମଣ ଗ୍ରାମରେ ଏକ ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ତ୍ରିଲୋଚନ ମାଝି, ଝୁନାରାଣୀ ସାହୁ। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଏକ ବାର୍‌ହା ନିକଟସ୍ଥ ଜଙ୍ଗଲରୁ ଗ୍ରାମ ଭିତରକୁ ପଶି ଆସିଥିଲା। ଗ୍ରାମବାସୀ ବାରହାକୁ ଘଉଡାଇବା ପାଇଁ ଚେଷ୍ଟା କରିବାରୁ ସେ ଏଣେତେଣେ ଦୌଡିଥିଲା। ଏହି ସମୟରେ ବଳଦ ବାନ୍ଧୁଥିବା ତ୍ରିଲୋଚନଙ୍କୁ ବାର୍‌ହା ଆକ୍ରମଣ କରିଥିଲା। ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହେବା ସହ ସେ ଜୀବନ ରକ୍ଷା ଲାଗି ନିକଟସ୍ଥ ପୋଖରୀକୁ ଡେଇଁପଡିଥିଲେ। ପରେ ବାର୍‌ହା ଝୁନାରାଣୀଙ୍କୁ ଆକ୍ରମଣକରି ଜଙ୍ଗଲକୁ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଭୟଙ୍କୁ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ଝୁନାରାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।