ଛେଣ୍ଡିପଦା ଡାକ୍ତରଖାନାରେ ବିରଳ ଶିଶୁ ଜନ୍ମ, ଦେଶରେ ତୃତୀୟ ଘଟଣା

ଛେଣ୍ଡିପଦା, ୬।୯(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ଡାକ୍ତରଖାନାରେ ଶୁକ୍ରବାର ଏକ ବିରଳ ଶିଶୁ ଜନ୍ମ ହୋଇଛି।
ଡାକ୍ତରଖାନ ସୂତ୍ରରୁ ପ୍ରକାଶ ଯେ, ଦେବଗଡ଼ ଜିଲା ରିଆମାଳ ବ୍ଲକ ତାବଡା ଅଞ୍ଚଳର ଜୈନେକା ମହିଳା ଛେଣ୍ଡିପଦା ଡାକ୍ତରଖାନାକୁ ପ୍ରସୂତି ନିମନ୍ତେ ଆସିଥିଲେ। ମାତ୍ର ପ୍ରସବ ପରେ ଶିଶୁଟିକୁ ଦେଖି ପ୍ରସୂତି ଗୃହରେ ଥିବା କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶିଶୁଟିର ପାଟି, ଆଖି ଓ ମୁହଁ ଅସ୍ବାଭାବିକ ଭାବେ ରହିଥିବା ବେଳେ ଦେହର ଚର୍ମ ଫାଟି ଲାଲ ଦେଖାଯାଉଥିଲା। ଏହି ଶିଶୁକୁ ଦେଖି ପରିବାର ଓ ମେଡିକାଲ କର୍ମଚାରୀମାନେ ମଧ୍ୟ ଭୟଭିତ ହୋଇ ଯାଇଥିଲେ। ଏ ନେଇ ଖବର ପ୍ରସାର ହେବାପରେ ଶିଶୁକୁ ଦେଖିବା ଲାଗି ଡାକ୍ତରଖାନାରେ ଭିଡ଼ ଜମିଛି । ଏ ନେଇ ପରିବାର ଚିନ୍ତାରେ ଥିବାବେଳେ ଅଧିକ ଚିକିତ୍ସା ନିମନ୍ତେ ଶିଶୁକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦିଆଯାଇଛି ।
ଏ ନେଇ ଡାକ୍ତର ମୋନାଲିସା ଗଡନାୟକ କୁହନ୍ତି, ଏଭଳି ଶିଶୁ ଭାରତ ବର୍ଷରେ ଜନ୍ମ ହୋଇଥିବା ତୃତୀୟ ଘଟଣା । ଏହା ଏକ ବଂଶାନୁକ୍ରମିକ ରୋଗ ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ଏବେ ଶିଶୁ ଓ ମା’ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।