ଛେଣ୍ଡିପଦାରେ ସଶସ୍ତ୍ର ଡକାୟତି: ଆଜବେଷ୍ଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଛେଣ୍ଡିପଦା,୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୬ଜଣ ଦୁର୍ବୃତ୍ତ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ ରହୁଥିବା ପ୍ରମୋଦ ମହାପାତ୍ରଙ୍କ ଘର ଆଜବେଷ୍ଟ ଭାଙ୍ଗି ଘରେ ପଶିଥିଲେ। ପରେ ସେମାନେ ଘରଲୋକଙ୍କୁ ଖଣ୍ଡା, ଭୂଜାଲି, ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଏପରିକି ଘର ମାଲିକ ପ୍ରମୋଦଙ୍କୁ ନିସ୍ତୁକ ମାଡ଼ ମାରି ଘରେ ଥିବା ପ୍ରାୟ ୧ ଲକ୍ଷ ୨୦ହଜାର ଟଙ୍କା, ୫ ଭରି ସୁନା ସହ ରୂପା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ଡକାୟତଙ୍କ ମାଡ଼ରେ ପ୍ରମୋଦଙ୍କ ବାମ ହାତରେ ଆଘାତ ଲାଗିଛି। ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ରାତିରେ ପୋଲିସକୁ ଖବର ଦିଆଯିବା ସତ୍ତ୍ୱେ ପୋଲିସଘଟଣାସ୍ଥଳକୁ ଆସି ନ ଥିବା ଅଭିଯୋଗ ହୋଇଛି। ରବିବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।