Categories: ଜାତୀୟ

ଛାତ ଉପରେ ୪୦ ପ୍ରକାର ଆମ୍ବ କିସମ ଚାଷ କରି କୃଷି ବିଭାଗର ଦୃଷ୍ଟି ଆକର୍ଷଣ କଲେ ଜୋସେଫ୍‌

କୋଚି,୧୯।୫: ନିଜ ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ଏବେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି କୋଚି ବାସିନ୍ଦା ଜୋସେଫ୍‌। ୨ଶହ ଲିଟର ପାଣି ଧରୁଥିବା କୁଣ୍ଡରେ ବାଲି, ମାଟି ଓ ରାସାୟନିକ ପ୍ରୟୋଗ କରି ସେ ଏହି ଗଛ ସବୁକୁ ଲଗାଇଥିବା କୁହନ୍ତି। ମାତ୍ର ୧୦ ମିନିଟ୍‌ରେ କୁଣ୍ଡ ଗୁଡିକରେ ପାଣି ଦିଆଯାଉଥିବା ବେଳେ ଏଥିପାଇଁ ଖୁବ୍‌ କମ୍‌ ପାଣି ଖର୍ଚ୍ଚ ହୋଇଥାଏ ବୋଲି ସେ କୁହନ୍ତି। କଲମି ମାଧ୍ୟମରେ ଏତେ ଭେରାଇଟିର ଆମ୍ବଚାରା ପ୍ରସ୍ତୁତ କରିଥିବା କୁହନ୍ତି ଜୋସେଫ୍‌। କିସମ ଦେଖି ସେ ଗୋଟିଏ ଗଛକୁ ୬ଶହରୁ ୪ହାର ଟଙ୍କା ପର୍ଯ୍ୟନ୍ତ ଦାମ୍‌ରେ ବିକ୍ରି କରନ୍ତି ବୋଲି କୁହନ୍ତି। ୨୨ ବର୍ଷ ତଳେ ସେ ‘ପେଟ୍ରିସିଆ’ ନାମକ ଏକ ଆମ୍ବ କିସମ ଚାରା ପ୍ରସ୍ତୁତ କରିଥିଲେ। ଏହି ଆମ୍ବର ସ୍ବାଦ ଅନ୍ୟ ଆମ୍ବଠାରୁ ପ୍ରାୟ ୩୫ ପ୍ରତିଶତ ଅଧିକ ମିଠା ବୋଲି ସେ କୁହନ୍ତି। ଏହି କିସମର ଆମ୍ବଚାରା କେବଳ ତାଙ୍କ ପାଖରେ ମିଳେ ବୋଲି ସେ ଦାବି କରନ୍ତି।

Share