Categories: ଗଞ୍ଜାମ

ଛାତ୍ରୀନିବାସ କୋଠା ଭୁଶୁଡ଼ିବା ପରେ ଚେତା ପଶିଲା : ସମସ୍ତ ହଷ୍ଟେଲ କୋଠା ସ୍ଥିତି ଯାଞ୍ଚ ନିଷ୍ପତ୍ତି

ବ୍ରହ୍ମପୁର ଅଫିସ,୨୭ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରସ୍ଥ ସାବେରୀ ଛାତ୍ରୀନିବାସ କୋଠାର ଶୌଚାଳୟ ଥିବା ଅଂଶ ଗୁରୁବାର ଭୁଶୁଡ଼ିବା ପରେ କର୍ତ୍ତୃପକ୍ଷଙ୍କ ଚେତା ପଶିଛି ା ଏପରି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସଜାଗ ହୋଇଛନ୍ତି ା ତୁରନ୍ତ ସମସ୍ତ ଛାତ୍ରାବାସ କୋଠା ସ୍ଥିତି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୁଳସଚିବ ରଞ୍ଜନ ବିଶ୍ୱାଳ ା ଯାଞ୍ଚ ପାଇଁ ଗଠିତ ସ୍ବତନ୍ତ୍ର ଟେକ୍ନିକାଲ କମିଟି ଆସନ୍ତା ୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ହଷ୍ଟେଲଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ନ ଜାଣିବା ଯାଏ କୌଣସି ନୂତନ ଛାତ୍ରଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ଦିଆଯିବନି ବୋଲି ନିଷ୍ପତ୍ତି ନିଆଯାଇଛି ା
ସାବେରୀ ଛାତ୍ରୀନିବାସ ଶୌଚାଳୟ କୋଠା ଭୁଶୁଡିବା ପରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି ା ଶୁକ୍ରବାର ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା ା ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁଳସଚିବ ରଞ୍ଜନ ବିଶ୍ୱାଳ, ହଷ୍ଟେଲ ୱାଡେନ ପ୍ରଫେସର ଭାଗୀରଥି ପାଣିଗ୍ରାହୀ ଉପସ୍ଥିତ ଥିଲେ ା କୋଠା ଭୁଶୁଡ଼ିବା ପରେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ନେଇ ସମସ୍ତ ହଷ୍ଟେଲର ସ୍ଥିତି ଯାଞ୍ଚ କରିବାକୁ କୁଳସଚିବ ନିର୍ଦ୍ଦେଶ ଦେଇଥିଲେ ା ଏଥିପାଇଁ ସ୍ବତନ୍ତ୍ର ଟେକ୍ନିକାଲ କମିଟି ଗଠନ କରାଯାଇ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ା ଏଥିସହ ଯାଞ୍ଚ ଓ ହଷ୍ଟେଲଗୁଡିକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ କୌଣସି ନୂତନ ବର୍ଷର ଛାତ୍ରୀଛାତ୍ରଙ୍କୁ ହଷ୍ଟେଲ ପ୍ରଦାନ କରା ନ ଯିବାକୁ ନିଷ୍ପତ୍ତି ହୋଇଛି। ଟେକ୍ନିକାଲ କମିଟି ୧୦ ଦିନରେ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପରେ ଅସୁରକ୍ଷିତ ଅବସ୍ଥାରେ ଥିବା କୋଠାଗୁଡିକର ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କୁଳସଚିବ ସୂଚନା ଦେଇଛନ୍ତି।