ଛାତ୍ରୀଛାତ୍ରଙ୍କୁ ଘରକୁ ଯାଇ ପୁସ୍ତକ ବାଣ୍ଟିଲେ ଶିକ୍ଷକ: ମେ’ ୩ ସୁଦ୍ଧା ବଣ୍ଟାଯିବ ୧୮୭୭୨୫୮ ବହି

ବ୍ରହ୍ମପୁର ଅଫିସ,୨୬ା୪ – କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ଯାହାଦ୍ୱାରା ବିଦ୍ୟାର୍ଥୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଅନ୍ୟପକ୍ଷରେ ନୂତନ ଶିକ୍ଷାବର୍ଷ ପାଇଁ ଛାତ୍ରୀଛାତ୍ରଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଇବା ଲାଗି ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଘରକୁ ଘର ବୁଲି ପାଠ୍ୟପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାରେ ଶୁକ୍ରବାରରୁ ଏହା ଆରମ୍ଭ ହୋଇଥିବା ବେଳେ ଜିଲାର ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକମାନେ ଏଥିରେ ସାମିଲ ହୋଇଛନ୍ତି । ମେ ୩ ସୁଦ୍ଧା ସମସ୍ତ ଛାତ୍ରୀଛାତ୍ରଙ୍କୁ ଏହା ବଣ୍ଟନ କରାଯିବ । ଗଞ୍ଜାମ ଜିଲାର ୨୯୭୬ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମୋଟ ୧୮ ଲକ୍ଷ ୭୭ ହଜାର ୨୫୮ ପୁସ୍ତକ ବଣ୍ଟନ କରାଯିବାକୁ ଥିବା ନେଇ ଜିଲା ଶିକ୍ଷା ଅଧିକାରୀ ଅମୁଲ୍ୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।