ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକଙ୍କ ଅସଦାଚରଣ

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଗୁରୁ-ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଟ୍ୟୁଶନ ଶିକ୍ଷକ ତାଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ଛାତ୍ରୀଙ୍କ ନିକଟରୁ ଏ ସମ୍ପର୍କରେ ପରିବାର ଲୋକେ ଜାଣି ଶୁକ୍ରବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ କେସ୍‌ (ନଂ.୩୮୩/୧୯) ରୁଜୁ କରିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିଛି। ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଅଭିଯୁକ୍ତ ହେଲେ ଜୟକୃଷ୍ଣ ନାୟକ(୫୫)। ତାଙ୍କୁ ପଚରାଉଚରା କରାଯାଉଛି, ଏହାପରେ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯିବ। ଜୟକୃଷ୍ଣଙ୍କ ନିକଟକୁ ଗୁରୁବାର ସନ୍ଧ୍ୟାରେ ସମ୍ପୃକ୍ତା ଛାତ୍ରୀ ଟିଉସନ୍‌ ଆସିଥିଲେ। ଜୟକୃଷ୍ଣ ଟ୍ୟୁଶନ ଶେଷ କରିବା ପରେ ସମସ୍ତଙ୍କୁ ବିଦା କରି ଦେଇ ଉକ୍ତ ଛାତ୍ରୀଙ୍କୁ ଅଟକାଇ ଜୋର ଜବରଦସ୍ତ ଅସଦାଚରଣ କରିଥିଲେ। ଛାତ୍ରୀ ଜଣକ ସେଠାରୁ ଖସି ଆସି ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ। ଏହା ପରେ ପରିବାର ଲୋକେ ଏ ନେଇ ଥାନାରେ ଏତଲା ଦେଇଥିଲେ।