ଛାତ୍ରୀଙ୍କୁ ଏକତରଫା ପ୍ରେମ ନିବେଦନ: ବିଫଳ ହେବା ପରେ ଫଟୋ ଭାଇରାଲ କରି ଜେଲଗଲେ ଶିକ୍ଷକ

ବ୍ରହ୍ମପୁର ଅଫିସ,୨୬।୯: ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲେ ଶିକ୍ଷକ। ପରେ ଛାତ୍ରୀଜଣଙ୍କ ଅଧ୍ୟାପିକା ହେବା ପରେ ତାଙ୍କୁ ବ୍ଲାକମେଲ୍‌ କରିବା ଜଣେ ବିଜ୍ଞାନ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଅଭିଯୁକ୍ତ ଶିକ୍ଷକ ହେଲେ ପ୍ରିୟ ରଞ୍ଜନ ମିଶ୍ର।
ସୂଚନା ଅନୁଯାୟୀ, ପ୍ରିୟ ରଞ୍ଜନ ଏକ ସରକାରୀ ସ୍କୁଲରେ ବିଜ୍ଞାନ ଶିକ୍ଷକ ଅଛନ୍ତି। ସେ ଜଣେ ଛାତ୍ରୀଙ୍କୁ ମନେ ମନେ ଭଲପାଉଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀଜଣଙ୍କ ଅଧ୍ୟାପିକା ହେବା ପରେ ପ୍ରିୟ ରଞ୍ଜନ ଅଲଗା ନା’ରେ ଅଧ୍ୟାପିକାଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ। ପୀଡ଼ିତା ଏହା ଜାଣି ନ ପାରି ଶିକ୍ଷକ ପ୍ରିୟରଞ୍ଜନଙ୍କୁ ଏକଥା ଜଣାଇବା ସହ ସାହାଯ୍ୟ ମାଗିଥିଲେ। ସେ ସାହାଯ୍ୟ କରିବା ବାହାନାରେ ତାଙ୍କ ସହ କିଛି ଫଟୋ ଉଠାଇଥିଲେ। ପରେ ଫଟୋଗୁଡିକ ଏଡିଟିଂକରି ତାଙ୍କୁ ଦେଖାଇଥିଲେ। ଏପରିକି ଛାତ୍ରୀଙ୍କ ବେକରେ ଫୁଲମାଳ ପକାଉଥିବା ଫଟୋ ମଧ୍ୟ ବାହାର କରିଥିଲେ। ଏହାର କିଛିଦିନ ଅର୍ଥାତ ୨୦୧୯ ମସିହାରେ ଯୁବତୀଙ୍କ ଅନ୍ୟତ୍ର ବାହାଘର ହୋଇଥିଲା। ଏଥିରେ କ୍ରୋଧିତ ହୋଇ ପ୍ରିୟରଞ୍ଜନ ପୂର୍ବରୁ ଉଠାଇଥିବା ଫଟୋଗୁଡିକ ଭାଇରାଲ କରିଥିଲେ। ଏପରିକି ତାଙ୍କ ନାମରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଆପତ୍ତିଜଣକ ଫଟୋଗୁଡିକ ପୋଷ୍ଟ କରିଥିଲେ। ଏତିକିରେ ଶିକ୍ଷକଙ୍କ ମନ ବୁଝି ନ ଥିଲା। ଶେଷରେ ସେ ପଢ଼ାଉଥିବା କଲେଜ କାନ୍ଥରେ ଫଟୋଗୁଡିକର ପୋଷ୍ଟର ମାରିଥିଲେ। ଏ ନେଇ ବୁଧବାର ଯୁବତୀ ଗୋଶାଣିନୁଆଗାଁ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକ୍ରମେ ପୋଲିସ ପ୍ରିୟରଞ୍ଜନଙ୍କ ବିରୋଧରେ କେସ୍‌ ନଂ. ୯୫/୧୯ରେ ମାମଲା ରୁଜୁକରି ତାଙ୍କୁ ଗିରଫ କରିଥିଲେ। ଗୁରୁବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ପ୍ରିୟ ରଞ୍ଜନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସୁମିତ ସୋରେନ ସୂଚନା ଦେଇଛନ୍ତି ।