ଛାତ୍ରାବାସରୁ ଖସି ଆସିଥିବା ୪ ଛାତ୍ରଙ୍କୁ ଉଦ୍ଧାର ପରେ ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର

ଜମନକିରା,୧୫।୧୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ପୋଲିସ ରବିବାର ୪ ଛାତ୍ରଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପରେ କୁଚିଣ୍ଡା ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରିଛି। ଛାତ୍ରମାନେ ହେଲେ ଜମନକିରା ଥାନା ବଲବସପୁର ନିତ୍ୟା ବଲୁଆଙ୍କ ପୁଅ ପିଙ୍କୁ (୧୨), କୁଚିଣ୍ଡା ଥାନା ଅନ୍ତର୍ଗତ ମନବୋଧ ଗୁରୁଙ୍କ ପୁଅ ବିଷ୍ଣୁ (୧୧), ବଲାଙ୍ଗୀର ଜିଲା ଖରମୁଣ୍ଡା ଗାଁର ଅର୍ଜୁନ ବାରିକଙ୍କ ପୁଅ ଚନ୍ଦ୍ରଶେଖର (୧୧), ଗଜପତି ଜିଲା ରାଇପଙ୍କ ଗାଁର ଦୀନେଶ ମାଝିଙ୍କ ପୁଅ ବିକ୍ରମ (୮) । ସେମାନେ ଭୁବନେଶ୍ୱରର ଏକ ଛାତ୍ରାବାସରେ ରହୁଥିବା କହିଛନ୍ତି।
ପୋଲିସର ସୂଚନା ଅନୁଯାଯୀ, ବିଭିନ୍ନ ମାମଲାରେ ଆଜୀବନ ସଜା କାଟୁଥିବା ୪ ଜଣ ଅଭିଯୁକ୍ତଙ୍କ ପିଲାଙ୍କୁ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରର ଏକ ଛାତ୍ରାବାସରେ ରଖାଯାଇ ପଢ଼ାଯାଉଥିଲା। ତେବେ ସେଠାରେ ଠିକ୍‌ରେ ଖାଦ୍ୟପେୟ ମିଳୁ ନ ଥିବା ଯୋଗୁ ଶନିବାର ସେଠାରୁ ଚାଲି ଯାଇଥିଲେ। ସେମାନେ ପ୍ରଥମେ ଛାତ୍ରାବାସରୁ ବାହାରି ଟ୍ରେନ ଯୋଗେ ସମ୍ବଲପୁର ଯାଇଥିଲେ। ଭୋର ସମୟରେ ଜମନକିରାକୁ ଆସିବା ପାଇଁ ଏକ ଘରୋଇ ବସ୍‌ରେ ବସିଥିଲେ। ବଡ଼ରମା ମନ୍ଦିର ନିକଟରେ ବସ୍‌ କଣ୍ଡକ୍ଟର ଛାତ୍ରମାନଙ୍କୁ ଭଡ଼ା ମାଗିବାରୁ ସେମାନେ ଟଙ୍କା ନ ଥିବା କହିଥିଲେ। ଏଥିରେ କଣ୍ଡକ୍ଟର ତାଗିଦ କରିବା ବେଳେ ଜମନକିରା କଦଳୀମୁଣ୍ଡାର ଜନୈକ ଅଙ୍ଗନଓ୍ବାଡି କର୍ମୀ ପିଲାଙ୍କ ଭଡ଼ା ଦେବା ସହ ନିଜ ଘରକୁ ନେଇ ଖାଇବାକୁ ଦେଇ ପୋଲିସକୁ ଜଣାଇଥିଲେ। ପୋଲିସ ସେମାନଙ୍କୁ ଉଦ୍ଧାର କରି କୁଚିଣ୍ଡା ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।