ଛାଡ଼ ପାଇବେ ୩୨ ବିଚାରାଧୀନ କଏଦୀ

କେନ୍ଦୁଝର, ୬।୪ (ସ୍ବ.ପ୍ର.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୭ ବର୍ଷରୁ କମ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଜାମିନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ପରିପ୍ରେକ୍ଷୀରେ କେନ୍ଦୁଝର ଜେଲରେ ଥିବା ୩୨ ଜଣ ବିଚାରାଧୀନ କଏଦୀଙ୍କୁ ଅନ୍ତରୀଣ ଜାମିନ ଓ ୬ ଜଣଙ୍କୁ ପାରୋଲରେ ଛାଡିବା ପାଇଁ ନିଷ୍ପତ୍ତି କରାଯାଇଛି। ସେଥିମଧ୍ୟରୁ କେନ୍ଦୁଝର ଜେଲ୍‌ରେ ୮ ଜଣ ରହିଛନ୍ତି। ତେବେ ଅନ୍ତରୀଣ ଜାମିନରେ ଯିବାକୁ ହେଲେ କୋର୍ଟରେ ଜାମିନ ଆବେଦନ କରି ଯାଇ ପାରିବେ। ଅନ୍ୟମାନେ ଆନନ୍ଦପୁର, ଚମ୍ପୁଆ, ବଡବିଲ ଜେଲର ବିଚାରାଧୀନ କଏଦୀ ଅନ୍ତରୀଣ ଜାମିନରେ ଯାଇପାରିବେ। ସେହିପରି ଜିଲାପାଳଙ୍କ ଆଦେଶ କ୍ରମେ ଚମ୍ପୁଆ ଓ ବଡବିଲ ଜେଲ୍‌ରେ ଥିବା ୬ ଜଣ ପାରୋଲରେ ଯାଇପାରିବେ ବୋଲି ଜଣାପଡିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଜଜ ବେଣୁଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହା ନିଷ୍ପତ୍ତି ହୋଇଛି। ଏଥିରେ ଜିଲାପାଳ ଆଶୀଷ ଥାକରେ, ଏସପି ମିତ୍ରଭାନୁ ମହାପାତ୍ର, ଜିଲା ଆଇନସେବା ପ୍ରାଧୀକରଣ ସଚିବ ସୌଦାମିନୀ ବିଶ୍ୱାଳ, କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ ଓ ବଡବିଲ ଜେଲର ଅଧୀକ୍ଷକ ମାନେ ଉପସ୍ଥିତ ଥିଲେ। କାରାଗାର ଗୁଡିକରେ କ୍ଷମତା ଠାରୁ ଅଧିକ କଏଦୀ ରହୁଥିବାରୁ କରୋନା ସଂକ୍ରମଣ ଆଶଙ୍କା ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।