ଛାଡ଼ପତ୍ର ପରେ ମଧ୍ୟ ବଦଳିନାହିଁ ସମ୍ପର୍କ: ସୁଜୈନ ଏବଂ ପିଲାଙ୍କ ସହ ମୁଭି ଡେଟ୍‌ରେ ହ୍ରିତିକ୍‌

ମୁମ୍ବାଇ: ଅଭିନେତା ତଥା ସୁପରଷ୍ଟାର ହ୍ରିତିକ୍‌ ରୋଶନ ଜଣେ ଭଲ ଅଭିନେତା ସାଙ୍ଗକୁ ଭଲ ପୁତ୍ର ଏବଂ ପିତା ମଧ୍ୟ। ପିତା ରାକେଶ ରୋଶନଙ୍କ ସ୍ବାସ୍ଥ୍ୟ ଖରାପ ହେବା ସମୟରେ ହେଉ ଅଥବା ପିଲାମାନଙ୍କ ଲାଗି ସମୟ ବାହାର କରିବା, ସବୁଥିରେ ସେ ନିଜର ଶତ ପ୍ରତିଶତ ସହଯୋଗ ଦେବାକୁ ଭୁଲନ୍ତି ନାହିଁ। ସ୍ତ୍ରୀ ସୁଜୈନଙ୍କୁ ଛାଡ଼ପତ୍ର ଦେବା ପରେ ମଧ୍ୟ ଏଥିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ବ୍ୟସ୍ତତା ମଧ୍ୟରେ ଟିକିଏ ବି ସମୟ ପାଇଲେ ସେ ସ୍ତ୍ରୀ ଓ ପିଲାଙ୍କ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି। ନିକଟରେ ତାଙ୍କୁ ସୁଜୈନ ଏବଂ ଦୁଇ ପୁଅଙ୍କ ସହ ଦେଖିବାକୁ ମିଳିଥିଲା। ହ୍ରିତିକ୍‌ ଚଳଚ୍ଚିତ୍ର ‘ସୁପର-୩୦’ର ସଫଳତାକୁ ସେଲିବ୍ରେଟ୍‌ କରିବା ଲାଗି ପରିବାର ସହ ମୁଭି ଡେଟରେ ଯାଇଥିବା କୁହାଯାଉଛି। ତେବେ ଏହି ଚଳଚ୍ଚିତ୍ର ରିଲିଜ ହେବା ଦିନଠାରୁ ବକ୍ସ ଅଫିସରେ କମାଲ କରୁଛି। ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନକାହାଣୀକୁ ନେଇ ଗଠିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ସଂଘର୍ଷ କରି ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଉଛି। ଆଗାମୀ ଦିନରେ ହ୍ରିତିକଙ୍କୁ ଚଳଚ୍ଚିତ୍ର ‘ଓ୍ବାର’ରେ ଦେଖିବାକୁ ମିଳିବ। ଏବେ ସେ ଏହାର ଶୁଟିଂରେ ବ୍ୟସ୍ତ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଟାଇଗର ଶ୍ରଫ୍‌ ନଜର ଆସିବେ। ଫଳରେ ଦର୍ଶକଙ୍କୁ ଫିଲ୍ମରେ ଅଧିକ ଆକ୍ସନ ଏବଂ ଡ୍ୟାନ୍ସ ଧମାକା ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Share