ଛତ୍ରପୁର ହସ୍ପିଟାଲରେ କାମଚଳା ଲାବ୍‌

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଛତ୍ର୍ରପୁର ହସ୍ପିଟାଲରେ ଲାବ୍‌ ଟେକ୍ନିସିଆନ୍‌ ଅଭାବ ଲାଗି ରହିଛି। ଫଳରେ ଉକ୍ତ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ବିଭିନ୍ନ ପରୀକ୍ଷା ପାଇଁ ହଇରାଣ ହେଉଛନ୍ତି। ଛତ୍ରପୁର ହସ୍ପିଟାଲରେ ଥିବା ୩ ଜଣ ଲାବ୍‌ ଟେକ୍ନିସିଆନଙ୍କ ମଧ୍ୟରୁ ଜଣେ ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ଫଳରେ ୨ ଜଣଙ୍କୁ ନେଇ ଛତ୍ରପୁର ହସ୍ପିଟାଲରେ ରୋଗୀ ସେବା କରିବା ମୁସ୍କିଲ ହୋଇପଡିଛି। ଏହା ଉପଖଣ୍ଡ ହସ୍ପିଟାଲ ହୋଇଥିବାରୁ ଛତ୍ରପୁର, ଗଞ୍ଜାମ ଓ ଖଲ୍ଲିକୋଟ ବ୍ଲକ ଏବଂ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରୁ ଦୈନିକ ଶତାଧିକ ରୋଗୀ ଏଠାକୁ ଆସିଥାନ୍ତି। ହସ୍ପିଟାଲରେ ସମସ୍ତ ପ୍ରକାର ପରୀକ୍ଷା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମାଗଣାରେ କରାଯାଉଛି। ଏପରିକି ଠିକ୍‌ ସମୟରେ ବିଭିନ୍ନ ପରୀକ୍ଷା ରିପୋର୍ଟ ପାଉ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ଫଳରେ ଆଉଟ୍‌ଡୋରରେ ଯେଉଁ ଡାକ୍ତରଙ୍କୁ ରୋଗୀ ଦେଖାଇଥିଲେ, ସେମାନେ ଆଉଟ୍‌ଡୋର ବନ୍ଦପରେ ଉକ୍ତ ଡାକ୍ତରଙ୍କୁ ରିପୋର୍ଟ ଦେଖାଇପାରୁନାହାଁନ୍ତି। ଅପରପକ୍ଷରେ ଆଉଟ୍‌ଡୋର ବନ୍ଦ ପରେ କାଜୁଆଲଟିରେ ଥିବା ଡାକ୍ତର ଉକ୍ତ ରିପୋର୍ଟ ଦେଖୁଛନ୍ତି।