ଛତ୍ରପୁରରେ ନିୟମ ମାନିଲେନି ଲୋକେ : ଟ୍ରାଫିକ୍‌ ଜାମ, ଦୋକାନ ସିଲ୍‌

ଛତ୍ରପୁର,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ହୋଇଥିବା ୬୭ ଘଣ୍ଟିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସୋମବାର ସକାଳ ୭ଟାରେ ଖୋଲିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲିବ ଏବଂ ଦୁଇ ଚକିଆଠାରୁ ଆରମ୍ଭକରି କୌଣସି ଗାଡ଼ି ରାସ୍ତା ଉପରକୁ ଆସିପାରିବନି ବୋଲି ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ଜିଲା ସଦର ମହକୁମା ଛତ୍ରପୁର ସହରରେ ଲୋକେ କୌଣସି ନିୟମକୁ ମାନିବାକୁ ପ୍ରସ୍ତୁତ ନ ଥିବା ସୋମବାର ଦେଖିବାକୁ ମିଳିଥିଲା। ଛତ୍ରପୁର ବଜାର ମୁଖ୍ୟ ରାସ୍ତାରେ ଏତେ ଗାଡ଼ି ଯାତାୟାତ କରିଥିଲା ଯେ, ଟ୍ରାଫିକ୍‌ ଜାମ ହୋଇଯାଇଥିଲା। ଏଥିସହ ନିୟମ ନ ମାନି ଖୋଲିଥିବା ଗୋଟିଏ ଦୋକାନକୁ ଏନ୍‌ଏସି ପକ୍ଷରୁ ୩୦ ତାରିଖ ପର୍ଯ୍ୟନ୍ତ ସିଲ୍‌ କରିଦିଆଯାଇଛି। ଏହାସହ ୨ ଟି ଦୋକାନୀଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ ହୋଇଛି।