ଛତିଆ ଅଞ୍ଚଳରେ ପୁଣି ଲୁଟେରା ସକ୍ରିୟ : ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌

ଛତିଆ,୯।୮(ଡିଏନ୍‌ଏ)- ଦୀର୍ଘଦିନର ନୀରବତା ପରେ ଛତିଆ ଅଞ୍ଚଳରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ଗୁରୁବାର ଅପରାହ୍ନରେ ଲୁଟେରାମାନେ ବନ୍ଧୁକ ଦେଖାଇ ୩ଜଣ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୮୧ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ବୈରୀସ୍ଥିତ ବନ୍ଧନ ବ୍ୟାଙ୍କ୍‌ର ୩ଜଣ ଡିବିଓ ସୁମନ ମାଇତି, ସ୍ବପ୍ନ ସାଗର ବେହେରା, ପ୍ରିତମ୍‌ ସିହ୍ନା କଟକ ଜିଲାର ଗୋବିନ୍ଦପୁର ମାଗୁରା ନିଶ୍ଚନ୍ତା ଗୋକୁଳପୁର ଗ୍ରାମରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିବା ଋଣ ଆଦାୟ କରି ଫେରୁଥିଲେ। ଅପରାହ୍ନ ପ୍ରାୟ ୧ଟା ସମୟରେ ବୈରୀ ଥାନା ଛତିଆ ବିଟ୍‌ ହାଉସ୍‌ ଅଧୀନ ନେଳିଆ ପଞ୍ଚାୟତର ପଦ୍ମନାଭପୁର ଗେଙ୍ଗୁଟି ନଦୀ ପୋଲ ନିକଟରେ ଏକ ନମ୍ବର ବିହୀନ କଳା ଆପାଚିରେ ୩ ଲୁଟେରା ଛିଡା ହୋଇଥିଲେ। ଏହାପରେ ଲୁଟେରାନେ ସୁମନଙ୍କୁ ଧକ୍କା ଦେବାରୁ ସେ ପଡିଯିବା ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ୍‌କୁ ଝାମ୍ପି ନେଇଥିଲେ। ସୁମନ୍‌ ଭୟରେ ପଦ୍ମନାଭପୁର ଗ୍ରାମ ଆଡକୁ ପଳାଇ ଯାଇଥିଲେ। ପଛରେ ସ୍ବପ୍ନ ସାଗର ଓ ପ୍ରିତମ୍‌ ଅନ୍ୟ ଏକ ବାଇକ୍‌ରେ ଆସୁଥିବାବେଳେ ଲୁଟେରାମାନେ ସେମାନଙ୍କ ଗାଡିକୁ ଜୋର୍‌ରେ ଧକ୍କା ଦେଇ ସେମାନଙ୍କୁ ମଧ୍ୟ ତଳେ ପକାଇ ଦେଇଥିଲେ। ଏହାପରେ ଜଣେ ଲୁଟେରା ଆସି ପ୍ରିତମ୍‌ଙ୍କ ମୁଣ୍ଡକୁ ପ୍ରହାର କରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ସ୍ବପ୍ନ ସାଗର ପଡିଯାଇଥିବା ସମୟରେ ଲୁଟେରାମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ୍‌ ଛଡାଇ ନେଇ ମାଗୁରା ଆଡେ ପଳାଇ ଯାଇଥିଲେ। ଖବର ପାଇ ଛତିଆ ବିଟ୍‌ ହାଉସ୍‌ ଅଧିକାରୀ ଜଗଦିଶ କର, ଅଯୋଧ୍ୟା ନାୟକ, ଫରିଦ୍‌ ଖାନ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ ହେଁ ଲୁଟେରାଙ୍କ ସମ୍ପର୍କରେ କୌଣସି ସୁରାକ ପାଇ ନ ଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।