ଛଟେଇ ପ୍ରତିବାଦରେ ବିଇଓ ଅଫିସ୍‌ ସମ୍ମୁଖରେ ପାଚିକାଙ୍କ ଧାରଣା

ଗଣିଆ,୧୮।୧୦(ଡି.ଏନ.ଏ.): ବିଦ୍ୟାଳୟର ପାଚିକା କାର୍ଯ୍ୟରୁ ଛଟେଇ କରାଯିବା ପ୍ରତିବାଦରେ ନୟାଗଡ଼ ଜିଲା ଗଣିଆ ବ୍ଲକ କରଡାପଡା ପଞ୍ଚାୟତ କରଡାପଡା ଗ୍ରାମସ୍ଥିତ ଜେ. ପ୍ରଧାନସିଂହ ମଧ୍ୟ ଇଂରାଜୀ ବିଦ୍ୟାଳୟର ପାଚିକା ସୁମିତ୍ରା ମୁଦୁଲି ଗୁରୁବାର ଗଣିଆ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆମରଣ ଅନଶନରେ ବସିଛନ୍ତି। ତାଙ୍କ ସହିତ ତାଙ୍କର ବିଧବା ଶାଶୁ ଓ ୧୨ ବର୍ଷର ପୁଅ ଧାରଣାରେ ସାମିଲ ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୨୦୧୫ ମସିହାଠାରୁ ସେ କରଡାପଡା ଜେ. ପ୍ରଧାନସିଂହ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଚିକା ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ଏହି ବିଦ୍ୟାଳୟ ସହ କଳାଶିମିଳି ପ୍ରାଥମିକ ବିଦ୍ୟାଳୟଟି ସାମିଲ ହେବାପରେ ଗତ ସେପ୍ଟେମ୍ବର ୨୩ତାରିଖରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ୟ ୩ ଜଣ ପାଚିକାଙ୍କୁ ରଖି ସୁମିତ୍ରାଙ୍କୁ କାର୍ଯ୍ୟରୁ ଛଟେଇ କରିଥିଲେ ା ଏ ନେଇ ସୁମିତ୍ରା ଓ ସ୍ଥାନୀୟ ସରପଞ୍ଚ ପୃଥକ ଭାବେ ଗତ ସେପ୍ଟେମ୍ବର ୨୬ ତାରିଖରେ ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ । ଏଥିସହ ସେ ଗତ ୧ତାରିଖରେ ବ୍ଲକ ଏବଂ ଜିଲା ଶିକ୍ଷା ଅଧିକାରୀ, ଜିଲାପାଳ, ଶିକ୍ଷାମନ୍ତ୍ରୀ ଓ ଗଣିଆ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ତାଙ୍କୁ କୌଣସି ନ୍ୟାୟ ନ ମିଳିବାରୁ ସେ ବାଧ୍ୟ ହୋଇ ନିଜର ପରିବାର ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ୭୦ ବର୍ଷର ବିଧବା ଶାଶୁ ଓ ଛୋଟ ପୁଅକୁ ନେଇ ସୁମିତ୍ରା ରହୁଛନ୍ତି ା ପାଚିକା କାର୍ଯ୍ୟରୁ ମିଳୁଥିବା ପାରିଶ୍ରମିକ, ବିଧବା ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୧୫ କିଲୋଗ୍ରାମ ଚାଉଳରେ ସୁମିତ୍ରାଙ୍କ ପରିବାର ଦୁଃଖକଷ୍ଟରେ ଚଳିଯାଉଥିଲା। ତେବେ କାର୍ଯ୍ୟରୁ ଛଟେଇ ହେବାପରେ ସେ ପରିବାର ପ୍ରତିପୋଷଣ ନେଇ ଭାଙ୍ଗିପଡିଛନ୍ତି। ଉଚିତ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସୁମିତ୍ରା ନିଜ ପରିବାର ସହ ଆମରଣ ଅନଶନ ଜାରି ରଖିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଗଣିଆ ବ୍ଲକ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରୁ ସରକାରଙ୍କ ଗାଇଡଲାଇନ ଆଧାରରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁମିତ୍ରାଙ୍କୁ କାର୍ଯ୍ୟରୁ ଛଟେଇ କରିଛନ୍ତି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ବୋଲି ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି।