ଚୌଦ୍ୱାର ସର୍କଲ ଜେଲ: ଆଧୁନିକୀକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): କଟକ ଜିଲାର ଚୌଦ୍ୱାର ସର୍କଲ ଜେଲ୍‌ର ଉନ୍ନତି କରାଯାଇ ଓଡ଼ିଶାରେ ଏକ ମଡେଲ ଜେଲରେ ପରିଣତ କରାଯିବ। ଏ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜେଲ ପରିସର ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ ରହିଛି। ସ୍ବାସ୍ଥ୍ୟ ବିଭାଗ ସହିତ ଯୋଗସୂତ୍ର ରଖି ଡାକ୍ତର ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏଲୋପାଥି ଡାକ୍ତରମାନେ କମ୍‌ ଦରମାରେ ନିଯୁକ୍ତ ହେବାକୁ ପସନ୍ଦ କରୁନାହାନ୍ତି। ସେମାନଙ୍କ ଦରମା ବୃଦ୍ଧି ନେଇ ଆଲୋଚନା କରାଯାଇଛି। ଓଡ଼ିଶାର ସମସ୍ତ ଜେଲ ପରିସରରୁ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ଗୋଟିଏ ବ୍ରାଣ୍ଡ ନାମ ଦିଆଯାଇ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର କାଉଣ୍ଟରରେ ବିକ୍ରି କରାଯିବା ଏବଂ ଅନ୍‌ଲାଇନ୍‌ ବିକ୍ରି ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜେଲ ରନ୍ଧନଶାଳାକୁ ଫୁଲନଖରା ‘ଅକ୍ଷୟ ପାତ୍ର’ ରନ୍ଧନଶାଳା ଭଳି ଆଧୁନିକୀକରଣ କରିବାକୁ ଜେଲ ମହାନିର୍ଦ୍ଦେଶକ ସତ୍ୟଜିତ୍‌ ମହାନ୍ତି ପରାମର୍ଶ ଦେଇଥିଲେ। ସେହିପରି ଜେଲ ପରିସରରେ କଏଦୀମାନଙ୍କ ପରିବାରବର୍ଗଙ୍କ ସହ ସାକ୍ଷାତ୍‌ କରିବା ନିମନ୍ତେ ଉଦ୍ଦିଷ୍ଟ ‘ମୁଲାକାତ୍‌’ ଗୃହର ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।