ଚୌଦ୍ୱାର ପୋଲିସ ପକ୍ଷରୁ ‘ଫାଇଟ୍‌ ଏଗ୍‌ନେଷ୍ଟ କୋଭିଡ୍‌-୧୯’ ପୁସ୍ତକ ବଣ୍ଟନ:  ଘରେ ରହି ଫୋନ୍‌ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ବରିଷ୍ଠ ନାଗରିକ

ଚୌଦ୍ୱାର,୧୮ା୪(ଡି.ଏନ୍‌.ଏ.): କରୋନା ଭଳି ଭୂତାଣୁରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଏବେ ଉଦ୍‌ବେଗ ସ୍ଥିତିରେ ଗତିକରୁଛି। ଏଥିରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭକରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଭୂତାଣୁକୁ ରୋକିବା ଦିଗରେ ସଚେତନତା ହିଁ ଏକମାତ୍ର ବିକଳ୍ପ ବୋଲି ବାରମ୍ବାର କୁହାଯାଉଛି। ଏଥିସହ ସଂକ୍ରମଣ ନ ବ୍ୟାପିବା ପାଇଁ ଲକ୍‌ଡାଉନ ସହ ସାମାଜିକ ଦୂରତାକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ବରିଷ୍ଠ ନାଗରିକଙ୍କୁ ଏହି ଭୂତାଣ ଜନିତ ରୋଗରୁ ସୁରକ୍ଷା ଦେବାପାଇଁ ଘରୁ ବାହାରକୁ ନ ବାହାରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ଚେତାବନୀ ଦେଉଛନ୍ତି। ବରିଷ୍ଠ ନାଗରିକଙ୍କ ପାଖରେ କିଭଳି ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚିପାରିବ ସେ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି କରାଯାଇଥିବା ‘ଫାଇଟ୍‌ ଏଗ୍‌ନେଷ୍ଟ କୋଭିଡ୍‌-୧୯’ ପୁସ୍ତକ ବରିଷ୍ଟ ନାଗରିଙ୍କୁ ପ୍ରଦାନ କରିବା ପାଇଁ ବିଭିନ୍ନ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ କଟକ ଜିଲା ଚୌଦ୍ୱାର ପୋଲିସ ପକ୍ଷରୁ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବରିଷ୍ଠ ନାଗରିକ ତଥା ନୋଡାଲ ଅଫିସର ତପସ୍ବିନୀ କାନୁନ୍‌ଗୋଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅସିଷ୍ଟାଣ୍ଡ ନୋଡାଲ ଅଫିସର ରବିନ୍ଦ୍ର କୁମାର ମୁର୍ମୁ ଓ ଥାନା କର୍ମଚାରୀ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଏହି ପୁସ୍ତକ ପ୍ରଦାନ କରୁଛନ୍ତି। ପଞ୍ଜିକୃତ ହୋଇଥିବା ଚୌଦ୍ୱାର ଥାନା ଅଧୀନରେ ୯୫୦ ବରିଷ୍ଠ ନାଗରିକଙ୍କୁ ୩ଦିନ ଭିତରେ ଏହି ପୁସ୍ତକ ଯୋଗାଇ ଦିଆଯିବ ବୋଲି ଆଇଆଇସି ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି। ଉକ୍ତ ପୁସ୍ତକରେ ଚୌଦ୍ୱାର ଅଞ୍ଚଳରେ ଥିବା ଓଷଧ ଦୋକାନ, ଗ୍ରୋସରୀ ଦୋକାନ, ପନିପରିବା ଦୋକାନ ଓ ଥାନା ଅଧୀକାରୀଙ୍କ ଫୋନ ନମ୍ବର ରହିଛି। ବରିଷ୍ଠ ନାଗରିକମାନେ ଘରେ ରହି ଫୋନ୍‌ ଯୋଗେ ନିଜ ଅତ୍ୟାବସକ ସାମଗ୍ରୀ ସହିତ ପୋଲିସ ସହାୟତା ପାଇପାରିବେ।