Categories: ଖେଳ

ଚୋରି ହୁଏ ରୋହିତ, କୋହଲିଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୧୧।୧- ସମସ୍ତ କ୍ରିକେଟ ପାଗଳ ଦେଶରେ ଭାରତୀୟ କ୍ରିକେଟ ଦଳର ପ୍ରଶଂସକ ସଂଖ୍ୟା ଖୁବ ଅଧିକ। ଦଳର ଖେଳାଳିଙ୍କ ନିକଟକୁ ଯିବା ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଦଳର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟ ଅଧିକାଂଶ ସମୟ ଚୋରି ହୁଏ। ଦଳର ଖେଳାଳିଙ୍କ ପାଇଁ ଚାରିଆଡ଼େ କଡ଼ାସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଏହି ଘଟଣା ଘଟିଥାଏ। ଯେଉଁଠାରେ ତାଙ୍କ ସହ ପ୍ରଶଂସକମାନେ ସେଲ୍‌ଫି କିମ୍ବା ଅଟୋଗ୍ରାଫ ନେବା କଷ୍ଟସାଧ୍ୟ, ସେଠାରେ ଚୋରି ବି ସମ୍ଭବ ହୁଏ। ସିନିୟର ଖେଳାଳିଙ୍କ ବ୍ୟାଟ ଚୋରି ସମ୍ପର୍କରେ ଭାରତୀୟ ଦଳର ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ରେ ଏ କଥା କହିଛନ୍ତି। ସେ ନିଜେ ଅଧିନାୟକ କୋହଲି ଓ ଉପ ଅଧିନାୟକ ରୋହିତଙ୍କ ବ୍ୟାଟ ଚୋରେଇ ନିଅନ୍ତି ଓ ସେହି ବ୍ୟାଟରେ ଖେଳନ୍ତି। ସିନିୟର ଖେଳାଳିଙ୍କୁ ଜଣା ମୋ ନଜର ତାଙ୍କ ବ୍ୟାଟ ଉପରେ ଅଛି। ମାତ୍ର ସୁଯୋଗ ମିଳିବା କ୍ଷଣି ମୁଁ ବ୍ୟାଟ ଉଠାଇ ନିଏ ବୋଲି ଚହଲ ସ୍ବୀକାର କରିଛନ୍ତି। ଏତଦ୍‌ବ୍ୟତୀତ ଚହଲ ଭାରତୀୟ ଦଳର ଡ୍ରେସିଂ ଓ ଲକର ରୁମର ବହୁ ଘଟଣା ସମ୍ପର୍କରେ ପ୍ରକାଶ କରିଛନ୍ତି।

Share