ଚୋରି ବୋଲେରୋ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩ ଫେରାର୍‌

ଜମନକିରା, ୨୧।୮(ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଷଣ୍ଢପଥର ବାବେଜୋର ପୋଲ ନିକଟରେ ଏକ ଚୋରି ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଫେରାର ହୋଇଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ଏକ ବୋଲେରୋ ଚୋରି ହୋଇଥିବା ନେଇ ଅଇଁଠାପାଲି ଥାନାରେ ମାମଲା ରୁଜୁ ହୋଇଥିଲା। ଏ ନେଇ ପୋଲିସ ପକ୍ଷରୁ ଆଖପାଖ ସମସ୍ତ ରାସ୍ତା ସିଲ୍‌ କରାଯାଇଥିଲା। ଜମନକିରା ଥାନାକୁ ମଧ୍ୟ ଖବର ଦିଆଯାଇଥିଲା। ଜମନକିରା ଥାନା ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିବା ବୋଲେରୋ (ଓଆର୍‌୦୨ ଏଏମ୍‌ ୫୦୪୫) ଉପରେ ପୋଲିସର ସନ୍ଦେହ ହୋଇଥିଲା। ବୋଲେରୋକୁ ପୋଲିସ ଗାଡ଼ି ପିଛା କରିଥିଲା। ବୋଲେରୋଟି ଦ୍ରୁତ ଗତିରେ ଯାଉଥିବା ବେଳେ ଗାଡ଼ିଟି ନିୟନ୍ତ୍ରଣ ହରାଇ ବାବେଜୋର ପୋଲ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଫେରାର୍‌ ହୋଇଯାଇଥିବା ବେଳେ ମୃତକ ଜଣଙ୍କ ସମ୍ବଲପୁର ସହରର ବୋଲି ଜଣାପଡ଼ିଛି। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଫେରାର ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ଖୋଜାଖୋଜି କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।