ଚୋରି ବାଇକ୍‌ ଜବତ, ୨ ଗିରଫ

ବଡ଼ବିଲ,୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମୃଣାଳ କଲୋନୀରୁ ଗତ ରବିବାର ପୂର୍ବାହ୍ନରେ ଚୋରି ହୋଇଥିବା ଏକ ବାଇକ୍‌କୁ ପୋଲିସ ଜବତ କରିବା ସହ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବିଲ ଗାଢ଼ା ହଟିଂ ଅଞ୍ଚଳର ସାୱନ ପାତ୍ର ଓରଫ୍‌ କୁନା(୨୦) ଏବଂ ଝୁମ୍ପୁଡି ବସ୍ତି ଅଞ୍ଚଳର ମିଥୁନ ଲୋହାର(୨୧)। ଏତଲାକାରୀ ରବି କୁମାର ବଡ଼ବିଲ ଥାନାରେ ଦେଇଥିବା ଏତଲା ଅନୁଯାୟୀ, ରବିବାର ସକାଳେ ମୃଣାଳ କଲୋନୀସ୍ଥିତ ବାସଭବନ ନିକଟରେ ଜେ.ଏଚ. ୦୫ ବିବି ୬୩୧୦ ନମ୍ବର ବିଶିଷ୍ଟ ବାଇକଟି ରଖିଥିଲାବେଳେ କେହି ଦୁର୍ବୃତ୍ତ ଚୋରି କରିନେଇଥିଲେ। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ କୁନାଙ୍କ ଘରୁ ବାଇକ୍‌ଟିକୁ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ କୁନାଙ୍କୁ ଗିରଫ କରିବା ସହ ତାଙ୍କ ସହଯୋଗୀ ମିଥୁନଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି।