ଚୋରା ବାଲି ବୋଝେଇ ଟ୍ରାକ୍ଟର, ପଥର ବୋଝେଇ ଟିପ୍ପର ଜବତ

ଛେଣ୍ଡିପଦା, ୨୭।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅଞ୍ଚଳରୁ ବୁଧବାର ଚୋରା ବାଲି ବୋଝେଇ ଟ୍ରାକ୍ଟର ଓ ଏକ ପଥର ବୋଝେଇ ଟିପ୍ପରକୁ ଜବତ କରାଯାଇଛି।

ଘଟଣାରୁ ପ୍ରକାଶ, ସରକାରୀ ରାଜସ୍ବକୁ ଠକି ବାଲି, ପଥର, ମୋରମକୁ ମାଫିଆମାନେ ଅନୁଗୋଳ ଜିଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ଭଲ ମୁନାଫା ଉଠାଉଛନ୍ତି। ଯାହାଦ୍ୱାରା ଛେଣ୍ଡିପଦା ତହସିଲର ରାଜସ୍ବ ଦିନକୁ ଦିନ କମିବାରେ ଲାଗିଛି। ଏ ନେଇ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା ଓ ଛେଣ୍ଡିପଦା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଉକ୍ତ ଟିମ୍‌ ଚାଙ୍ଗୁଡିଆ ଅଞ୍ଚଳରୁ ଛେଣ୍ଡିପଦା ଆସୁଥିବା ଏକ ପଥର ଗାଡିକୁ ଜବତ କରିବା ସହ ଛେଣ୍ଡିପଦାରୁ ତେଣ୍ଟୁଲୋଇ ଯାଉଥବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଛେଣ୍ଡିପଦା ପୋଲିସ ଜିମା ଦେଇଛନ୍ତି। ଏହି ମାଫିଆଙ୍କ ଏପରି ବେଆଇନ ବାଲି, ମାଟି, ପଥର, ମୋରମ ଚାଲାଣକୁ ରୋକିବା ନିମନ୍ତେ ଚଢ଼ାଉ ଜୋର୍‌ଦାର କରାଯିବ ବୋଲି ଛେଣ୍ଡିପଦା ତହସିଲଦାର ଡାନିଏଲ ପ୍ରକାଶ କରିଛନ୍ତି।