ଟେଷ୍ଟ ନ କରି ନିଜ ଇଚ୍ଛାରେ ଖାଉଛନ୍ତି ଔଷଧ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଲାଣି କରୋନାର ‘ହିଡ଼େନ୍‌ କେସ୍‌’ ବା ‘ଲୁକ୍କାୟିତ ମାମଲା’। କରୋନା ଲକ୍ଷଣ ଥିଲେ ବି ଲୋକେ ଟେଷ୍ଟ କରିବାକୁ ଆସୁନାହାନ୍ତି। ଏମାନଙ୍କ ଦ୍ୱାରା ହିଁ ତୃତୀୟ ଲହର ଆସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ଡା. ନିରୋଜ ମିଶ୍ର କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ରହୁଛି, ସେମାନେ ଘରେ ରହି ମନ୍‌ଟେକ ଏଲ୍‌ସି ଓ ଆଜିଥ୍ରୋମାଇସିନ୍‌ ଖାଉଛନ୍ତି। ଯାହାକି ଖାଇବା କଥା ନୁହେଁ। ଏହି ସବୁ କେସଗୁଡ଼ିକ ଯେତେବେଳେ ରହିଯାଉଛି। ସେମାନେ ଟେଷ୍ଟ କରୁନାହାନ୍ତି। ନିଜ ପରିବାର ଭିତରେ ପ୍ରଥମେ ସଂକ୍ରମିତ କରୁଛନ୍ତି। ପରେ ବାହାରେ ବୁଲୁଛନ୍ତି। ଏମାନଙ୍କୁ ଯୋଗୁ ସଂକ୍ରମଣ ବଢୁଛି। ଏହା ଉପରେ ସରକାର ଦୃଷ୍ଟି ଦେବା ଉଚିତ। ଏହା ଦେଶର ୬ଟି ରାଜ୍ୟରେ ମୁଣ୍ଡବିନ୍ଧାର କାରଣ ହେଲାଣି। ଏଗୁଡ଼ିକ ଦ୍ୱାରା ହିଁ ତୃତୀୟ ଲହର ଆରମ୍ଭ ହେବ। କାରଣ ହିଡେନ ରୋଗୀଙ୍କ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଡା. ମିଶ୍ର କହିଛନ୍ତି।

‘ଲୁକ୍କାୟିତ ମାମଲା’ ଜାଣିବା ପାଇଁ ଡୋର୍‌ ଟୁ ଡୋର୍‌ ସର୍ଭେଲାନ୍ସ ଜୋରଦାର କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମିଶ୍ର କହିଛନ୍ତି ଯେ, କରୋନା ଲକ୍ଷଣ ଥିଲେ ମଧ୍ୟ ଅନେକ ଲୋକ ଟେଷ୍ଟ କରୁନାହାନ୍ତି। ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁନାହିଁ। ତେଣୁ ଅନେକ ହିଡେନ୍‌ କେସ୍‌ ରହୁଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗତ ଜୁନ୍‌ରୁ ୩ ମାସ ଇଣ୍ଟିଗ୍ରେଟେଡ଼ ସର୍ଭେଲାନ୍ସ କରାଯାଉଛି। ଯାହା ଅଗଷ୍ଟ ୨୪ରେ ଶେଷ ହେବ। ଆଶାକର୍ମୀଙ୍କ ଦ୍ୱାରା ସର୍ଭେରେ ୧ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସର୍ଭେଲାନ୍ସ କରି ହିଡେନ କେସଗୁଡ଼ିକୁ ବାହାର କଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ।