Categories: ଖେଳ

ଚେଜ୍‌ କରି ଜିତିବାରେ ଭାରତ ସର୍ବାଗ୍ରେ

ରାଜକୋଟ, ୯।୧୧- ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରେ ଚେଜ୍‌ କରି ବିଜୟ ହାସଲ କରିବାରେ ଭାରତୀୟ ଦଳ ରେକର୍ଡ କରିଛି। ଗୁରୁବାର ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ ଷ୍ଟାଡିୟମରେ ଭ୍ରମଣକାରୀ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ୨ୟ ଟି୨୦ ମ୍ୟାଚ୍‌କୁ ଭାରତ ୮ ଉଇକେଟ୍‌ରେ ସହଜ ବିଜୟ ଲାଭ କରିଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୫୩ ରନ କରିଥିଲା। ଜବାବରେ କାମଚଳା ଅଧିନାୟକ ରୋହିତ୍‌ ଶର୍ମା (୮୫ ରନ, ୪୩ ବଲ୍‌, ୬ ଚୌକା, ୬ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୧୫.୪ ଓଭରରେ ୨ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଏଥିସହ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରେ ଚେଜ୍‌ କରି ସର୍ବାଧିକ ମ୍ୟାଚ୍‌ ଜିତିଥିବା ଦେଶ ତାଲିକାରେ ଭାରତ ସର୍ବାଗ୍ରେ ରହିଛି। ୬୧ ମ୍ୟାଚ୍‌ରେ ଚେଜ୍‌ କରି ଭାରତ ୪୧ଟି ବିଜୟ ହାସଲ କରିଛି। ଏହିକ୍ରମରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛି ଭାରତ। ଅଷ୍ଟ୍ରେଲିଆ ୬୯ ମ୍ୟାଚ୍‌ରେ ଚେଜ୍‌ କରି ୪୦ ବିଜୟ ଲାଭ କରି ପୂର୍ବରୁ ଏହି ରେକର୍ଡର ଅଧିକାରୀ ରହିଥିଲା। ବିଶ୍ୱର ପୂର୍ବତନ ଏକ ନମ୍ବର ଦଳ ପାକିସ୍ତାନ ତାଲିକାର ୩ୟ ସ୍ଥାନରେ ରହିଛି। ପାକିସ୍ତାନ ୬୭ ମ୍ୟାଚ୍‌ରେ ଅନୁଧାବନ କରି ୩୬ରେ ଜିତିଛି। ସେହିଭଳି ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଉଭୟ ୨୮ ଲେଖାଏ ମ୍ୟାଚ୍‌ ଜିତି ତାଲିକାରେ ଯୁଗ୍ମ ଭାବେ ୪ର୍ଥ ସ୍ଥାନରେ ରହିଛି।

Share