ଚିଲିକା ମଝିରେ ଅଟକିଲା ଭସାପୋଲ : ୨ଘଣ୍ଟା ଧରି ୧୦୦ ଯାତ୍ରୀ ଜଳବନ୍ଦୀ

କୃଷ୍ଣପ୍ରସାଦ,୯ା୨ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା-ସାତପଡା ଚିଲିକା ମଝିରେ ଶନିବାର ଏକ ଯାତ୍ରୀବାହୀ ଭେସେଲ (ଭସାପୋଲ) ୨ ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଭେସେଲରେ ଥିବା ୧୦୦ ଯାତ୍ରୀ ଜଳବନ୍ଦୀ ହୋଇ ଆତଙ୍କିତ ଅବସ୍ଥାରେ ସମୟ କଟାଇଥିଲେ।
କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦାଠାରୁ ସାତପଡା ପର୍ଯ୍ୟନ୍ତ ଚିଲିକାରେ ଯାତାୟାତ କରୁଛି ଯାତ୍ରୀବାହୀ ଭେସେଲ। ତୀର୍ଥକ୍ଷେତ୍ର ପୁରୀକୁ ଏହା ହେଉଛି ଏକ ପ୍ରମୁଖ ପଥ। ଏହି ପଥଦେଇ ପ୍ରତିଦିନ କୃଷ୍ଣପ୍ରସାଦ ବ୍ଲକ ସମେତ ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପର୍ଯ୍ୟଟକ ଯାତାୟାତ କରିଥାନ୍ତି। ଭେସେଲରେ ଯାତ୍ରୀଙ୍କ ସହ ବଡ ବଡ ଯାନବାହନକୁ ମଧ୍ୟ ଲୋକେ ନେବାଆଣିବା କରନ୍ତି। ଏହାବ୍ୟତୀତ ଶହ ଶହ ଯାତ୍ରୀ ଡଙ୍ଗାରେ ଯାତାୟାତ କରିଥାନ୍ତି। ଶନିବାର ଅପରାହ୍ନ ୨ଟା ୩୦ମିନିଟ ସମୟରେ ଭେସେଲଟି ଏକ ଯାତ୍ରୀବାହୀ ବସ୍‌, ୨ କାର୍‌, ୨ ଅଟୋ, ୨୦ ମୋଟରସାଇକେଲ ସହ ୧୦୦ ଜଣ ଯାତ୍ରୀ ନେଇ ଜହ୍ନିକୁଦାରୁ ସାତପଡା ଅଭିମୁଖେ ବାହାରିଥିଲା ା ଯାତ୍ରା ଆରମ୍ଭ କରିବାର ୨୦ ମିନିଟ ପରେ ହଠାତ୍‌ ଚିଲିକାର ଏକ ଢିପରେ ତାହା ଅଟକି ରହିଥିଲା। ଯାତ୍ରୀମାନେ ଝିପିଝିପି ବର୍ଷା, କୋହଲା ପବନରେ ଥରି ଥରି ଆତଙ୍କିତ ଅବସ୍ଥାରେ ସମୟ କାଟିଥିଲେ। ଏହିଭଳି ୨ ଘଣ୍ଟା ବିତିବା ପରେ ସାତପଡାଠାରୁ ଅନ୍ୟ ଏକ ଭସାପୋଲରେ ଡ୍ରୋଜର ଆସି ଅଟକିଥିବା ଭେସେଲକୁ ଟାଣି ବାହାର କରିଥିଲା। ପରେ ଭେସେଲଟି ଯାତ୍ରୀଙ୍କୁ ନେଇ ଅପରାହ୍ନ ୩ଟା ପରିବର୍ତ୍ତେ ୫ଟାରେ ସାତପଡାଠାରେ ପହଞ୍ଚତ୍ଥିଲା। ଭସାପୋଲ ଯାତାୟାତ କରୁଥିବା ଚିଲିକାର ଚ୍ୟାନେଲକୁ ୧୦ବର୍ଷ ଧରି ଖୋଳାଯାଇ ନାହିଁ। ଏହି କାରଣରୁ ବିଭିନ୍ନ ସମୟରେ ଯାତ୍ରୀମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି। ଏ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ପଚାରିବାରୁ ସେ କହିଥିଲେ, ଚିଲିକାର ଚ୍ୟାନେଲ ପୋତିହେବାରେ ଲାଗିଛି। ଏହାକୁ ଖୋଳିବା ପାଇଁ ଇନ୍‌ଲ୍ୟାଣ୍ଡ ଓ୍ବାଟର ବିଭାଗକୁ ଜଣାଇଛୁ। ସେମାନେ କେନ୍ଦ୍ର ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ସେଠାରୁ ଅନୁମତି ମିଳିଲେ ଖୋଳାଯିବ।