ଚିତ୍ର, ସ୍ଥାପତ୍ୟ କରୁଛି ସଚେତନ

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): ଘରୁ ବାହାରକୁ ବାହାରିଲେ ବିପଦ। ‘ଘରେ ରୁହ… ସୁରକ୍ଷିତ ରୁହ’ର ବାର୍ତ୍ତା ଦେଇ ସଚେତନ କରୁଛି ଚିତ୍ର ଓ ସ୍ଥାପତ୍ୟ। ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବାରୁ ସହରବାସୀଙ୍କୁ ଏନେଇ ସଚେତନ କରିବାକୁ ଏଭଳି ଅଭିନବ ଉପାୟ ଆପଣାଇଛନ୍ତି କେତେଜଣ ଯୁବ ଚିତ୍ରଶିଳ୍ପୀ। ଷ୍ଟ୍ରିଟ୍‌ ପେଣ୍ଟିଂ ଓ ଥ୍ରୀଡି ପେଣ୍ଟିଂ ମାଧ୍ୟମରେ ରାଜଧାନୀର ରାଜରାସ୍ତାକୁ ଚିତ୍ରିତ କରି ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରୁଛନ୍ତି। ଓଡ଼ିଶା ପ୍ରୋଗେସିଭ୍‌ ଆର୍ଟିଷ୍ଟ ଆସୋସିଏଶନ ପକ୍ଷରୁ ମଙ୍ଗଳବାରଠାରୁ ଏଭଳି ନିଆରା ପ୍ରୟାସ ଆରମ୍ଭ ହୋଇଛି। ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାକୁ ଏକାଠି ହୋଇଥିବାବେଳେ ଏଥିରେ ହାତ ମିଳାଇଛନ୍ତି ଶିଳ୍ପୀ ଓ କଳାକାର। କ୍ଷୁଦ୍ର ଚଳଚ୍ଚିତ୍ର, ଗୀତ, ଅଭିନୟ ଓ ଚିତ୍ରକଳା ଭଳି କଳାର ବିଭିନ୍ନ ମାଧ୍ୟମରେ ଏମାନେ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ସେହିଭଳି ଭିନ୍ନସ୍ବାଦର ସ୍ଥାପତ୍ୟକଳା ଓ ଚିତ୍ରକଳା କରୁଥିବା ଚିତ୍ରଶିଳ୍ପୀମାନେ ଏବେ କରୋନା ସଚେତନତା ପାଇଁ ଆଗେଇ ଆସିଛନ୍ତି। ଶିଳ୍ପୀ ପ୍ରିୟରଞ୍ଜନ ‘କରୋନା’ ଥିମ୍‌କୁ ନେଇ ସ୍ବତନ୍ତ୍ର ସ୍ଥାପତ୍ୟକଳା ପ୍ରସ୍ତୁତ କରିଛନ୍ତି। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌କୁ ବ୍ୟବହାର କରି ତିଆରି ହୋଇଥିବା ସ୍ଥାପତ୍ୟକଳାରେ ୱେଦରକୋଟ୍‌ ଏସିଆନ୍‌ ଆପେକ୍ସ ରଙ୍ଗ କରୋନା ଭାଇରସ୍‌ର ଭ୍ରମ ସୃଷ୍ଟି କରୁଛି। ବାହାରେ ବିନା କାରଣରେ ବୁଲୁଥିବା ଅମାନିଆଙ୍କୁ ସଚେତନ କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଏହାର ଉଚ୍ଚତା ୭ଫୁଟ୍‌ ଏବଂ ଓସାର ରହିଛି ୫ଫୁଟ୍‌। କ୍ୟାପିଟାଲ ଥାନା ସମ୍ମୁଖରେ ଏହି କରୋନା ସ୍ଥାପତ୍ୟକୁ ରଖାଯାଇଛି। ଏହାସହ ରାସ୍ତା ଉପରେ ସଚେତନତା ବାର୍ତ୍ତା ସହ କରୋନା ଚିତ୍ର ରହିଥିବାବେଳେ ଶିଳ୍ପୀ ପ୍ରିୟରଞ୍ଜନଙ୍କୁ ଶ୍ରୀକୃଷ୍ଣ ବେହେରା, ସୁଦୀପ୍‌ ବାରିକ୍‌, ବିଭୂତି ମହାରଣା ପ୍ରମୁଖ ସହଯୋଗ କରିଛନ୍ତି।